ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇଂଲଣ୍ଡ ବିପକ୍ଷରେ ୩-୦ରେ ଜିତିଲା ଭାରତ ମହିଳା ହକି ଦଳ। ଯୁବା ଷ୍ଟ୍ରାଇକର୍ ଲାଲରେମସିଆମିଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଦଳ ଶନିବାର ୩-୦ ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ବାର୍ସିଲୋନାରେ ଚାଲିଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ସ୍ପାନିସ ହକି ସଂଘର ଶତବାର୍ଷିକୀ ଅବସରରେ ଅନୁଷ୍ଠିତ ହେଉଛି। ଚମତ୍କାର ପ୍ରଦର୍ଶନ କରିଥିବା ୨୩ ବର୍ଷୀୟା ଏହି ମିଜୋରାମ ଯୁବତୀ ମ୍ୟାଚ୍ର ୧୩, ୧୭ ଓ ୫୬ତମ ମିନିଟରେ ତିନିଟି ଯାକ ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଭାରତୀୟ ଦଳ ମଧ୍ୟ ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଛି। ପୂର୍ବ ଦୁଇ ମ୍ୟାଚ୍କୁ ଭାରତୀୟ ମହିଳା ଦଳ ଇଂଲଣ୍ଡ ସହ ୧-୧ ଏବଂ ସ୍ପେନ୍ ସହ ୨-୨ ଗୋଲ୍ରେ ଅମୀମାଂସିତ ରଖିଥିଲା। ପ୍ରତିଯୋଗିତାରେ ଅପରାଜିତ ଥିବାରୁ ସବିତାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଟେବୁଲ୍ ଟପ୍ପର ଭାବେ ମଧ୍ୟ ଫାଇନାଲ୍ ଖେଳିବାକୁ ନିଶ୍ଚିତ କରିଛି। ଭାରତୀୟ ଦଳ ପ୍ରଥମରୁ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ନେହା ଗୋୟଲ୍ ପ୍ରଥମ ଗୋଲ୍ ପ୍ରୟାସ କରିଥିଲେ।
ଏହାକୁ ପ୍ରତିପକ୍ଷ ଦଳର ରକ୍ଷଣଭାଗ ପଣ୍ଡ କରି ଦେଇଥିଲେ। ୧୩ତମ ମିନିଟରେ କିନ୍ତୁ ଅଭିଜ୍ଞା ଦୀପ ଗ୍ରେସ୍ ଏକ୍କା ମିଡଫିଲ୍ଡରୁ ପଠାଇଥିବା ବଲ୍କୁ ଲାଲରେମସିଆମି ଗୋଲ୍ରେ ପରିଣତ କରି ଦେଇଥିଲେ। ୪ ମିନିଟ୍ ପରେ ଲାଲରେମସିଆମି ସ୍କୋର୍ ଲାଇନ୍କୁ ୨-୦ରେ ପରିଣତ କରି ଦେଇଥିଲେ। ଏହା ପରେ ଆତ୍ମବିଶ୍ବାସକୁ ଫେରିବାରୁ ଭାରତ ମଧ୍ୟ ଭିନ୍ନ ସମନ୍ବୟରେ ଖେଳି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ଏସବୁ ହାତଛଡ଼ା ହୋଇଥିଲେ ମଧ୍ୟ ଚତୁର୍ଥ କ୍ବାର୍ଟରର ଶେଷ ୫ ମିନିଟ୍ ଭିତରେ ଲାଲରେମସିଆମି ବ୍ୟକ୍ତିଗତ ହ୍ୟାଟ୍ରିକ୍ ସହ ଦଳକୁ ଏକତରଫା ବିଜୟ ଦେଇଥିଲେ।