ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଂସଦରେ ଜାରି ରହିଛି ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ହଙ୍ଗାମାରେ ବଳି ପଡ଼ିଯାଉଛି। ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ ୭ଟି କାର୍ୟ୍ୟ ଦିବସ ଧୋଇ ହୋଇଗଲାଣି। ପ୍ରଶ୍ନ ଉଠୁଛି ଏପରି ଭାବେ ଜନସାଧାରଣଙ୍କ ଅର୍ଥର ଅପଚୟ ହେବା କେତେଦୂର ଯଥାର୍ଥ? ଜାନୁଆରି ୩୧ରୁ ଫେବ୍ରୁଆରି ୬ ଏବଂ ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୨ ଯାଏ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ବଜେଟ୍ ଅଧିବେଶନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଫଳପ୍ରଦ ହୋଇପାରିନଥିଲା। ।
ପିଆର୍ଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚ (ପିଆର୍ଏସ୍)ର ଏକ ରିପୋର୍ଟ ଅନୁସାରେ, ୧୭ଶ ଲୋକସଭା ଏହାର ଅନ୍ତିମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଯାବତ୍ ୨୩୦ ଦିନ ଅଧିବେଶନ ଠିକ୍ଭାବରେ ଚାଲିଛି। ପୂରା ପାଞ୍ଚବର୍ଷ ପାଇଁ ଚାଲିଥିବା ଲୋକସଭାଗୁଡ଼ିକ ମଧ୍ୟରୁ ୧୬ଶ ଲୋକସଭାରେ ସବୁଠାରୁ କମ୍ ୩୩୧ ଦିନ ଅଧିବେଶନ ହୋଇଥିଲା। ୧୭ଶ ଲୋକସଭା କାର୍ୟ୍ୟକାଳ ସରିବାକୁ ଆଉ ପ୍ରାୟ ବର୍ଷେ ବାକି ଥିବା ବେଳେ ଏହା ୩୩୧ ଦିନରୁ ଅଧିକ ଚାଲିପାରିବା ଆଶା କରାଯାଉ ନାହିଁ। ତେଣୁ ଏହା ୧୯୫୨ରୁ ଅଦ୍ୟାବଧି ସବୁଠାରୁ କମ୍ ଦିନ ଚାଲିଥିବା ଲୋକସଭାରେ ପରିଣତ ହେବାକୁ ଯାଉଛି।