ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜାଦି କା ଅମୃତ ମହୋତ୍ସବ ପରେ ଲଞ୍ଚ ହେବାକୁ ଯାଉଛି ‘ମେରି ମାଟି ମେରା ଦେଶ’। ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଅଗଷ୍ଟ 15 ତାରିଖରେ ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସ୍ବାଧୀନତା ଦିବସରେ ମଧ୍ୟ ‘ହର ଘର ତ୍ରିରଙ୍ଗା’ ପାଇଁ ଆହ୍ବାନ ଦେଇଛନ୍ତି । ଏହି କ୍ୟାମ୍ପେନ୍ ଯେପରି ପରମ୍ପରାରେ ପରିଣତ ହେବ ସେଥିଲାଗି ପ୍ରତିବର୍ଷ ନିଜ ଘର ଉପରେ ତ୍ରିରଙ୍ଗା ଉଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ମୋଦି ନିଜ ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଦେଶରେ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ 60 ହଜାର ଅମୃତ ସରୋବରର ନିର୍ମାଣ କରାଯାଇଛି । ସେହିପରି ଉତ୍ତରପ୍ରଦେଶରେ ନିକଟରେ ଗୋଟିଏ ଦିନରେ 30 କୋଟି ବୃକ୍ଷରୋପଣ କରି ରାଜ୍ୟ ରେକର୍ଡ ସୃଷ୍ଟି କରିଥିବା କହିଛନ୍ତି ମୋଦି ।
ଏହି ଅବସରରେ ମୋଦି କହିଛନ୍ତି, “ଏବେ ସାରା ଭାରତ ଗର୍ବ ଓ ଗୌରବର ସହିତ ପାଳନ କରୁଛି ଅମୃତ ମହୋତ୍ସବ । ତେବେ ଅଗଷ୍ଟ 15 ନିକଟବର୍ତ୍ତୀ ହୋଇଥିବା ବେଳେ ଆଉ ଏକ କ୍ୟାମ୍ପେନ ଆରମ୍ଭ ହେବ । ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ଲାଗି ‘ମେରି ମାଟି ମେରା ଦେଶ’ଲଞ୍ଚ କରାଯିବ ।”
ମୋଦି ଆହୁରି କହିଛନ୍ତି ଯେ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍ ମେମୋରିଆଲରେ ନିର୍ମାଣ ହେବ ‘ଅମୃତ ବାଟିକା’ । ଏହି ଉଦ୍ୟାନରେ ପ୍ରାୟ 7500 ଚାରା ରୋପଣ କରାଯିବ । ସାରା ଦେଶର କୋଣ ଅନୁକୋଣରୁ ଏହି ଚାରାକୁ ସଂଗ୍ରହ କରାଯିବ । ଖାଲି ସେତିକି ନୁହେଁ ଆମ ବୀର ଯବାନଙ୍କୁ ସ୍ମରଣ ରଖିବା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେବେ କେନ୍ଦ୍ର ସରକାର । ଅମୃତ ବାଟିକାରେ 7500 ଚାରା ରୋପଣ ଲାଗି ଏକ ‘ଅମୃତ କଳସ ଯାତ୍ରା’ର ଶୁଭାରମ୍ଭ ହେବ । ଦେଶର କୋଣ ଅନୁକୋଣରୁ ଭାରତୀୟ ଚାରା ଧରି ଦିଲ୍ଲୀ ଅଭିମୁଖେ ବାହାରିବେ ଏବଂ ଏହି ଚାରାଗୁଡ଼ିକୁ ଅମୃତ ବାଟିକାରେ ରୋପଣ କରାଯିବ । ‘ମେରି ମାଟି ମେରା ଦେଶ’ କ୍ୟାମ୍ପେନ୍ ମାଧ୍ୟମରେ ଦେଶର ବିଭିନ୍ନ ପଞ୍ଚାୟତ, ଗ୍ରାମରେ ଶିଳାଲେଖ ସ୍ଥାପିତ ହେବ ।