ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା, ୧୮୫ ପ୍ରଶ୍ନର ସମ୍ମୁଖୀନ ହେଲେ ବର୍ଷା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୧୮୫ ପ୍ରଶ୍ନର ସମ୍ମୁଖୀନ ହେଲେ ଅଭିନେତ୍ରୀ ବର୍ଷା। ବହୁଚର୍ଚ୍ଚିତ ସାଂସଦ ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ଜେରା ଆଜି ଶେଷ ହୋଇଛି। ଏହା ପରେ କଟକ ପରିବାର ଅଦାଲତରେ ଉଭୟ ପକ୍ଷଙ୍କ ଜବାବ ସୁଆଲ ହେବ ବୋଲି ଜଣାପଡିଛି। ଅକ୍ଟୋବର ୧୩ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଗତ ୧୩ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭଵ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରି ତିନି ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ପ୍ରିୟଦର୍ଶିନୀଙ୍କ ଜେରା ପ୍ରକ୍ରିୟାକୁ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଜେରା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା ହୋଇ ପାରିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଏହାପରେ ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।ଏହା ସହିତ ୩ ମାସ ଏହି ପାରିବାରିକ ବିବାଦର ଶୁଣାଣି ଶେଷ କରି ପରିବାର ଅଦାଲତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦୁଇଟି ପର୍ଯ୍ୟାୟରେ ଦିନ ସାଢେ ୧୨ ଟାରୁ ସାଢ଼େ ୧ ଟା ଓ ଅପରାହ୍ନ ୩ ଟାରୁ ୪ ଟା ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଜେରା କରିଥିଲେ। ଏହି ପାରିବାରିକ ବିବାଦର ମୂଳ ମାମଲା ଅନୁଭଵ ମହାନ୍ତିଙ୍କ ଦ୍ଵାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୬ ତାରିଖରେ ରୁଜ୍ଜୁ ହୋଇଥିଲା। ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ସୁପ୍ରିମକୋର୍ଟ। କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ସେବେଠାରୁ ଉଭୟ ଉଭୟଙ୍କ ନାମରେ ଅନେକ ମକଦ୍ଦମା ବିଭିନ୍ନ କୋର୍ଟରେ ରୁଜ୍ଜୁ କରିଛନ୍ତି। ଅନ୍ୟପଟରେ କଟକ ପରିବାର ଅଦାଲତରେ ମାମଲାର ତ୍ୱରିତ ଶୁଣାଣି ହେଉ ନ ଥିବା ଦର୍ଶାଇ ମାମଲାକୁ ଭୁବନେଶ୍ୱର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି କଟକ ପରିବାର ଅଦାଲତ ତିନି ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୋଟ ଜେରା ଭିତରେ ବର୍ଷାଙ୍କୁ ୧୮୫ ଟି ପ୍ରଶ୍ନର ସାମ୍ନା କରିବାକୁ ପଡିଛି। ଆଜିର ଜେରା ଶେଷ ପରେ ସାଂସଦ ସୁପରଷ୍ଟାର ଅନୁଭବ କହିଛନ୍ତି ମୋତେ ନ୍ୟାୟ ମିଳିବ। ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଛି କାହାକୁ ବି ଫାମିଲି କୋର୍ଟ ଦେଖିବାକୁ ନ ମିଳୁ।