ଆୟରଲାଣ୍ଡ-ଭାରତ ମ୍ୟାଚ୍‌: ଫେରିବେ ଯଶପ୍ରୀତ୍‌ ବୁମ୍ରା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା। ଖାଲି ଖେଳିବେନି, ଭାରତୀୟ ଦଳର ନେତୃତ୍ୱ ମଧ୍ୟ ନେବାକୁ ତାଙ୍କ ନାଁ ଆଗକୁ ଆସିଛି। ଅଗଷ୍ଟରେ ଆୟରଲାଣ୍ଡ ବିରୋଧରେ ଭାରତ ଖେଳିବାକୁ ଥିବା ଟି-୨୦ ସିରିଜ୍‌ରେ ସେ ପଡ଼ିଆକୁ ଓହ୍ଲାଇବେ। ଏହି ଭାରତୀୟ ଷ୍ଟାର୍ ଦୃତଗାମୀ ବୋଲର ସେପ୍ଟେମ୍ୱର ୨୦୨୨ ଠାରୁ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ତେବେ ଅଗଷ୍ଟ ୧୮ରେ ଡବଲିନ୍‌ରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ୍‌ରେ ସେ ଅଧିନାୟକ ହେବା ପାଇଁ ନାଁ ଦେଇଛନ୍ତି ସିନିୟର ଟିମ୍‌ ସିଲେକ୍ସନ କମିଟିର ନେତୃତ୍ୱ ନେଉଥିବା ଅଜିତ୍‌ ଅଗରକର। ଟି-୨୦ରେ ଅଧିନାୟକ ଭାର ବହନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବାକୁ ଥିବା ବେଳେ ଏସିଆନ୍‌ ଗେମ୍‌ ସ୍କାଡ୍‌ରୁ କିଛି ଖେଳାଳିଙ୍କୁ ଉକ୍ତ ମ୍ୟାଚ୍‌ ଖେଳିବାକୁ ଚୟନ କରାଯାଇଛି। ସେପ୍ଟେମ୍ୱରରୁ ଅକ୍ଟୋବର ଭିତରେ ଚାଇନାରେ ଖେଳ ହେବାକୁ ଥିବା ଏସିଆନ୍‌ ଗେମ୍ସର ଏହି ମେଗା ଇଭେଣ୍ଟ ପୂର୍ବରୁ କିଛି ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦେଇ ପରୀକ୍ଷା କରାଇନେବା ଏହାର ଲକ୍ଷ୍ୟ ରହିଛି। ଯଶପ୍ରୀତ୍‌ ବୁମ୍ରା ପିଠି ଆଘାତ ଜନିତ ସମସ୍ୟା ଯୋଗୁ ଗତ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ବାଦ୍ ପଡ଼ିଥିଲେ। ସେ ଶେଷ ଥର ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ସିରିଜ୍ ୨୦୨୨ ସେପ୍ଟେମ୍ୱରରେ ଖେଳିଥିଲେ। ସେ ୨୦୨୩ ମାର୍ଚ୍ଚରେ ପିଠି ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ନ୍ୟୁଜ୍‌ଲାଣ୍ଡ ଯାଇ ସର୍ଜରୀ କରିଥିଲେ। ଯାହା ସଫଳ ହୋଇଥିବା ବିସିସିଆଇ ସୂଚନା ଦେଇଥିଲା। ତେଣୁ ଆଗଷ୍ଟ ୩୦ରୁ ଖେଳ ହେବାକୁ ଥିବା ଏସିଆ କପ୍‌ ଟିମ୍‌ରେ ବୁମ୍ରା ସ୍ଥାନ ପାଇପାରନ୍ତି ବୋଲି କ୍ରୀଡ଼ାପ୍ରେମୀ ଓ ବିସିସିଆଇ ସଦସ୍ୟ ଆଶା ପ୍ରକାଶ କରିଛନ୍ତି।

 ଯଶପ୍ରୀତ ବୁମ୍ରା(କ୍ୟାପଟେନ୍), ରୁତୁରାଜ ଗାଇକ୍‌ୱାଡ୍‌(ଉପଅଧିନାୟକ), ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ରଞ୍ଜୁ ସାମସନ(ୱିକେଟ ରକ୍ଷକ), ଜିତେଶ ଶର୍ମା(ୱିକେଟ ରକ୍ଷକ), ଶିବମ ଦୁବେ, ୱାଶିଂଟନ୍‌ ସୁନ୍ଦର, ଶେହବାଜ୍ ଅହମଦ, ରବୀ ବିଷ୍ଣୋୟୀ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଅଭେଷ ଖାନ୍ ଆଦି ଆୟରଲାଣ୍ଡ ଟି-୨୦ ସିରିଜ୍‌ ପାଇଁ ସମ୍ଭାବିତ ଭାରତୀୟ ଦଳ। ଅଗଷ୍ଟ ୧୮, ୨୦ ଓ ୨୩ରେ ଏହି ତିନୋଟି ମ୍ୟାଚ୍‌ ଖେଳାଯିବ।

Leave A Reply

Your email address will not be published.