ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଟମାଟୋ ଦର ଆକାଶଛୁଆଁ ହୋଇଥିବା ବେଳେ ଅଧାରାସ୍ତାରୁ ଗାଏବ ହେଲା ୨୦ ଲକ୍ଷ ଟଙ୍କାର ଟମାଟୋ ଭର୍ତ୍ତି ଟ୍ରକ । ମଧ୍ୟବିତ୍ତ ପରିବାରରେ ତରକାରୀରେ ଟମାଟୋ ଦେଖିବାକୁ ମିଳୁନାହିଁ । ଏହି ସମୟରେ ଚାଷୀ ଟମାଟୋ ବିକି ମାଲେମାଲ ହେଉଛନ୍ତି । ଆଉ କେତେକ ସ୍ଥାନରୁ ଟମାଟୋ ଲୁଟ୍ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ୨୦ ଲକ୍ଷର ଟମାଟୋ ଲଦା ହୋଇଥିବା କର୍ଣ୍ଣାଟକର କୋଲରରୁ ରାଜସ୍ଥାନ ଯାଉଥିବା ଟ୍ରକ ରହସ୍ୟମୟ ଭାବେ ନିଖୋଜ ହୋଇଛି । ଆଉ ଏଥିରେ ଚିନ୍ତିତ ହୋଇ ପୋଲିସ ନିକଟରେ ଏଫଆଇଆର ଦାଏର କରିଛନ୍ତି ବେପାରୀ ।ଜୁଲାଇ ୨୭ ରେ ଦୁଇଜଣ ବ୍ୟବସାୟୀ କୋଲାର ଏପିଏମସି ୟାର୍ଡରୁ ରାଜସ୍ଥାନର ଜୟପୁର ପର୍ଯ୍ୟନ୍ତ ଟମାଟୋ ଆଣିବା ପାଇଁ ଏକ ଟ୍ରକ୍ ବୁକ୍ କରିଥିଲେ। ହୋଲସେଲ ବଜାରରେ ଟମାଟୋର ମୂଲ୍ୟ ୧୫ କିଲୋଗ୍ରାମ ବକ୍ସ ପାଇଁ ପ୍ରାୟ ୨,୦୦୦ ଟଙ୍କା ରହିଛି। ଖୁଚୁରା ଟମାଟୋର ମୂଲ୍ୟ କିଲୋଗ୍ରାମ ପ୍ରତି ୧୫୦ ରୁ ୨୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଉଛି। ଟମାଟୋ ଲଦି ହୋଇଥିବା ଟ୍ରକ ଶନିବାର ରାତିରେ ଜୟପୁର ପହଞ୍ଚିବାର ଥିଲା । କିନ୍ତୁ ଟ୍ରକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିନଥିଲା । ସେପଟେ ଡ୍ରାଇଭରର ମୋବାଇଲ ଫୋନ ମଧ୍ୟ ବନ୍ଦ ରହିଥିବା ଜଣାପଡିଛି । ଟ୍ରକ ଅପରେଟର ସହିତ ଯୋଗାଯୋଗ କରିବାର ପ୍ରୟାସ ମଧ୍ୟ ବୃଥା ଯାଇଛି । ତେଣୁ ଚୋରିର ଆଶଙ୍କା କରି କୋଲାର ବ୍ୟବସାୟୀମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଜିପିଏସ ଟ୍ରାକର ଅନୁଯାୟୀ ଟ୍ରକଟି କୋଲାରଠାରୁ ପ୍ରାୟ ୧୬୦୦ କିଲୋମିଟର ଯାଇଥିଲା । ଏହା ପରେ ଟ୍ରକର କୌଣସି ପତ୍ତା ନାହିଁ । ଟ୍ରକର ଡ୍ରାଇଭର ଏବଂ ହେଲପର ପାଖରେ କୌଣସି ମୋବାଇଲ୍ ନାହିଁ, ତେଣୁ ଟ୍ରକକୁ ଖୋଜିବାକୁ ବିଳମ୍ବ ହେଉଛି ।