ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜଧାନୀରେ କାଚୁଛି ବର୍ଷା। ଲଗାଣ ବର୍ଷାରେ ରାଜଧାନୀର ହାଲ ବେହାଲ ହୋଇଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ କାଚିଛି ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବରରେ ସେମବାର ଅପରାହ୍ଣରୁ ମଙ୍ଗଳବାର ଅପରାହ୍ଣ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏହି ସମୟ ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ୧୦୬ ଓ କଟକ ଜିଲ୍ଲା କଣ୍ଟାପଡ଼ାରେ ୧୦୧ ମିମି ବର୍ଷା ହୋଇଛି। କେବଳ ଭୁବନେଶ୍ବର ଓ କଟକ ନୁହେଁ। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲା ତିହିଡ଼ିରେ ୯୭ ମିମି ବର୍ଷା ରେକର୍ଡ ହୋଇଛି। ସେହପରିeq ଢେଙ୍କାନାଳ ଜିଲ୍ଲା ଭୁବନରେ ୯୬, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୮୮, ପୁରୀ ଜିଲ୍ଲା ପିପିଲିରେ ୮୫, ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ୮୫, କଟକ ସହରରେ ୮୩.୨, ମୟୂରଭଂଜ ଜିଲ୍ଲା ରାଇରଂଗପୁରରେ ୮୨, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ୮୧ ଓ ବରଗଡ଼ ଜିଲ୍ଲା ବରପାଲିରେ ୭୨ ମିଲିମିଟର ବର୍ଷା ହୋଇଛି।ସୋମବାର ଅପରାହ୍ଣ ୪ଟାରୁ ମୁସଲଧାରା ବର୍ଷା ହେବା ଫଳରେ ରାଜଧାନୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଉବୁଟୁବୁ ହୋଇଥିଲେ। ସମଗ୍ର ରାଜଧାନୀ।
ରାସ୍ତା, ନାଳ, ମେଡିଆନ୍ ସବୁ ଏକାକାର ହୋଇଯାଥିଲା। ବସ୍ତି ତଥା ତଳି ଅଞ୍ଚଳରେ ରହୁଥିବା ପାଖାପାଖି ୭ ହଜାର ଲୋକ ଜଳବନ୍ଦୀ ହୋଇଯାଇଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଆକଳନ କରାଯାଇଛି। ପରିସ୍ଥିତି ଏମିତି ହୋଇଛି ଯେ, ବର୍ଷା ଛାଡ଼ିବା ପରେ ବି ସାରା ରାତି ଅନେକଙ୍କ ଘରେ ଚୁଲି ଜଳିପାରିନି।
ରଥ ରୋଡ୍ ନଦୀର ଭ୍ରମ ସୃଷ୍ଟି କରିଥିବା ବେଳେ ବୈରାଗୀ ନଗରରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ପୂର୍ବରୁ ବିଏମ୍ସି ୩୭ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଥିବା ବେଳେ ଆଜିର ବର୍ଷାରେ ଏକାଧିକ ନୂଆ ଜାଗାରେ ପାଣି ଜମିଛି।