ଓଡିଆ ନ୍ୟୁଜ (ବ୍ୟୁରୋ) : ବଙ୍ଗୋପସାଗରରେ ଗଭୀର ଅବପାତ ପ୍ରଭାବରେ କାଚୁଛି ବର୍ଷା । ରାଜଧାନୀଠୁ ଆରମ୍ଭ କରି ଉପକୂଳ ପର୍ୟ୍ୟନ୍ତ ସବୁଠି ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଜି ବି ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ୧୩ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୁଖ୍ୟତଃ କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, ବାଲେଶ୍ୱର , କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି।
ଏପରିକି ଏହି ସୂଚନା ପିଲାଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଗଣମାଧ୍ୟମ, ଫୋନ୍ ତଥା ହ୍ୱାଟସ୍ ଆପ୍ ଗ୍ରୁପ୍ର ସାହାଯ୍ୟ ନିଆଯାଉଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରେ ର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମାଟି ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦେବାକୁ କେନ୍ଦୁଝର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବର୍ଷା ସ୍ଥିତିକୁ ଦେଖି ସମ୍ବଲପୁରରେ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ ।ଅନ୍ୟପଟେ ଟ୍ୱିନ ସିଟିରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି ।