ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ମୃତ୍ୟୁକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଉଛି । ଏହାରି ଭିତରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତର ରଖାଯାଇଛି । ଏ ସଂପର୍କରେ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରି କେନ୍ଦ୍ର ସରକାରକୁ ଜବାବ ମାଗିଥିବା ବେଳେ ଆଜି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି ଯେ ପ୍ରାକୃତିକ କାରଣ ଯୋଗୁଁ ୮ଟି ଚିତାର ମୃତ୍ୟୁ ହୋଇଛି।
ସମସ୍ତ ଉପଯୁକ୍ତ ବ୍ୟବସ୍ଥା ସତ୍ତ୍ବେ ଏଭଳି ମୃତ୍ୟୁ ଘଟିଛି କାରଣ ସାଧାରଣତଃ ଚିତାମାନଙ୍କ ଜୀବିତ ରହିବା ହାର କମ୍ ଏବଂ ପରିବେଶରେ ପରିବର୍ତ୍ତନ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟୀ। କୁନୋ ଜାତୀୟ ଉଦ୍ୟାନରେ ହୋଇଥିବା ଚିତା ମୃତ୍ୟୁ ପ୍ରାକୃତିକ କାରଣ ପାଇଁ ହୋଇଛି ବୋଲି ଏନ୍ସିଟିଏ କହିଛି । ଚିତାମାନଙ୍କୁ ଅନ୍ୟତ୍ର ସଂପୂର୍ଣ୍ଣ ନୂଆ ପରିବେଶକୁ ସ୍ଥାନାନ୍ତର କଲେ ସେ କ୍ଷେତ୍ରରେ ୫୦ ପ୍ରତିଶତ ମୃତ୍ୟୁ ସ୍ବାଭାବିକ ବୋଲି ସରକାର କହିଛନ୍ତି।