ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶେଷରେ ଭାରତ ଶରଣରେ ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଶେହବାଜ ତାଙ୍କ ଆଭିମୁଖ୍ୟରେ ଅଚାନକ ପରିବର୍ତ୍ତନ ଆଣି କହିଛନ୍ତି, ଯୁଦ୍ଧ କୌଣସି ବିକଳ୍ପ ନୁହେଁ ଏବଂ ଆମେ ଭାରତ ସହ କଥାବାର୍ତ୍ତା କରିବାକୁ ଆଗ୍ରହୀ ଅଛୁ। ଭାରତ ଯଦି କଥାବାର୍ତ୍ତା ପାଇଁ ନିଷ୍ଠାର ସହ ଚାହିବ ତା’ହେଲେ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ବିଗତ ୭୫ ବର୍ଷ ମଧ୍ୟରେ ଆମେ ୩ଟି ଯୁଦ୍ଧ ଲଢ଼ିଛୁ।
ଏଥିରେ କେବଳ ବେକାରୀ, ଦାରିଦ୍ରୢ ଏବଂ ସମ୍ବଳର ଅଭାବ ହିଁ ଆମକୁ ମିଳିଛି ବୋଲି ସେ କହିଛନ୍ତି। ଯୁଦ୍ଧ ଏବେ କୌଣସି ବିକଳ୍ପ ନୁହେଁ ଏବଂ କଥାବାର୍ତ୍ତା ହିଁ ପ୍ରକୃଷ୍ଟ ପନ୍ଥା ବୋଲି ପ୍ରଧାନମନ୍ତ୍ରୀ ସରିଫ୍ କହିଛନ୍ତି। ୧୯୬୫ କାଶ୍ମୀର ଯୁଦ୍ଧ, ୧୯୭୧ ବାଂଲାଦେଶ ବିଭାଜନ ଯୁଦ୍ଧ ଏବଂ ୧୯୯୯ରେ କାର୍ଗିଲ ଯୁଦ୍ଧ କଥା ସରିଫ୍ ଆଜି ଉଲ୍ଲେଖ କରିଥିଲେ ।