ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର, ପାଟି ଯାଏ ବୁଡିଗଲେ ମା’ ପାଟଣେଶ୍ୱରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏହି କ୍ରମରେ ବର୍ଷାରେ ବେହାଲ ହୋଇଛି ବଲାଙ୍ଗୀର। ତେବେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ଏମିତିକି ପାଟି ଯାଏ ବୁଡିଯାଇଛନ୍ତି ମା’ ପାଟଣେଶ୍ୱରୀ । ମନ୍ଦିରର ଛାତରୁ ପାଣି ଗଳୁଥିବା ବେଳେ ତଳପଟେ ବର୍ଷା ପାଣି ପ୍ରବେଶ କରୁଛି। ଡ୍ରେନ୍‌ ସହିତ ମିଶିଥିବା ଅପରିଷ୍କାର ପାଣି ମନ୍ଦିର ଭିତରକୁ ପ୍ରବେଶ କରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ମନ୍ଦିର ଭିତରକୁ ପଶି ଦେବୀ ପ୍ରତିମୂର୍ତ୍ତିକୁ ଅଧା ବୁଡ଼ାଇଦେଇଛି। ହଜାର ହଜାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ଶକ୍ତିପୀଠ ମାଁ ପାଟଣେଶ୍ୱରୀ ଜଳମଗ୍ନ ହେବା ଘଟଣା ଭକ୍ତଙ୍କ ଭାବାବେଗ ପ୍ରତି କୁଠାରାଘାତ କରିଛି। ପୂର୍ବରୁ ମଧ୍ୟ ଅତ୍ୟଧିକ ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଶିଯାଏ ।

ରାସ୍ତାରୁ ମନ୍ଦିରର ଉଚ୍ଚତା କମ୍ ଥିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୁଏ ।ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବୋତ୍ତର ବିଭାଗ ହାତରେ ରହିଛି। କିନ୍ତୁ ଠିକ୍‌ ଭାବରେ ମନ୍ଦିରର ମରାମତି ନକରିବା, ଡ୍ରେନେଜ ସମସ୍ୟା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ମନ୍ଦିରର ସବୁ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି ସହରର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି। ବିଭିନ୍ନ ଘର ଭିତରକୁ ପାଣି ପଶିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।

Leave A Reply

Your email address will not be published.