ଓଡିଆ ନ୍ୟୁଜ (ବ୍ୟୁରୋ) : ହିଂସା ନିଆଁରେ ଜଳୁଛି ହରିଆଣା । ଦୁଇ ଦିନ ହେବ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୁତୟନ ହେବା ପରେ ହିଂସା ସାମାନ୍ୟ ଥମିଛି। ଗୁରୁବାର ବି ନୁହରେ କର୍ଫ୍ୟୁ ଜାରି ରହିଛି। ଆକ୍ରମଣକାରୀଙ୍କୁ ଦେଖି ଜିଲା ଡେପୁଟି କମିଶନର ପ୍ରଶାନ୍ତ ପଓ୍ବାର ଧାରା ୧୪୪ ଲାଗୁ କରିଛନ୍ତି। ଅଗଷ୍ଟ ୫ ପର୍ୟ୍ୟନ୍ତ ଏଠାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି। ବୁଧବାର ଲଗାଯାଇଥିବା କର୍ଫ୍ୟୁରେ ଦିନ ୩ଟାରୁ ୫ ଟା ପର୍ୟ୍ୟନ୍ତ ସାମାନ୍ୟ ଢିଲା ଦିଆଯାଇଥିଲା। ହେଲେ ଫରିଦାବାଦ, ଗୁରୁଗ୍ରାମ ଓ ରଓ୍ବୋଡିରେ ହିଂସାର ଛୋଟ ମୋଟ ଘଟଣା ଘଟିବାରେ ଲାଗିଛି। ନୁହ ହିଂସାରେ ଏବେ ପର୍ୟ୍ୟନ୍ତ ୪୧ ଏଫଆଇଆର ଦିଆଯାଇଥିବା ବେଳେ ୧୧୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୯୦ ଅନ୍ୟ ସନ୍ଦିଗ୍ଧ ଏବେ ପୋଲିସ ହେପାଜତରେ ଅଛନ୍ତି।
ବଜରଙ୍ଗ ଦଳ, ବିଏଚପି ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍ ସୋମବାର ବାହାରା କରାଯାଇଥିବା ଜଳାଭିଷେକ ଯାତ୍ରାରେ ହୋଇଥିବା ଆକ୍ରମଣ ପରେ ଏହାଦ୍ୱାରା ଉପୁଜିଥିବା ହିଂସା ନିଆଁରେ ଦକ୍ଷିଣ ହରିୟାଣା ଏବେବି ଜଳୁଛି। ସୂଚନାଯୋଗ୍ୟ, ହରିୟାଣାର ନୁହରେ ସୋମବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ଘଟଣା ପରେ ପ୍ରଶାସନ ଆଲର୍ଟରେ ରହିଛି।
ଅନ୍ୟପଟେ ହରିୟାଣା ନୁହରେ ସାଂପ୍ରଦାୟିକ ହିଂସା ବେଳେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସୌଭାଗ୍ୟବଶତଃ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ। ଥାନାରେ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ନୁହ ନଗର ଥାନାରେ ମଙ୍ଗଳବାର ଅଭିଯୋଗ ଅନୁସାରେ, ସାଂପ୍ରଦାୟିକ ହିଂସାରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଞ୍ଚଳି ଜୈନଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ। କାରରେ ତାଙ୍କ ୩ ବର୍ଷର ଝିଅ ଥିବାବେଳେ ଗାଡି ଉପରକୁ ଗୁଳିଚାଳନା କରାଯାଇଥିଲା। ସେମାନେ ଭୟରେ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଥିବା ଓ୍ଵାର୍କସପରେ ଲୁଚି ଯାଇଥିଲେ। ପରବର୍ତ୍ତୀ ସମୟରେ କିଛି ଆଇନଜୀବୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏ ଘଟଣା ସମସ୍ତଙ୍କୁ ଚକିତ କରିଛି ।