ଗାଈ ପେଟରୁ ବାହାରିଲା ୩୦ କେଜିର ପଲିଥିନ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ, ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି। ଯେଉଁଥି ପାଇଁ ଆଜି ଛୋଟରୁ ବଡ଼ବଡ଼ ଦୋକାନରେ ସବୁଠି ପଲିଥିନ୍ ଉପଲବ୍ଧ ହେଉଛି। ଯାହା ପରବର୍ତ୍ତୀ ସମୟରେ କୁଢ କୁଢ ଆବର୍ଜନା ଗଦାରେ ପରିଣତ ହେଉଛି। ସହରକୁ ଆବର୍ଜନା ମୁକ୍ତ କରିବା ତଥା ସଠିକ୍ ପରିଚାଳନା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବର୍ଜନା ହଟୁନଥିବା ଦେଖିବାକୁ ମିଳୁଛି। ଆଉ ଯାହାର ଭୟଙ୍କର ପରିଣାମ ଭୋଗୁଛନ୍ତି ନିରୀହ ପଶୁ। ବିଏମସିରୁ ଗାଏବ ହେଲାଣି ଗୋଚର ଜମି। ଜୀବଜନ୍ତୁ ଚରିବା ପାଇଁ କୌଣସି ସୁବିଧା ନାହଁ। କେବଳ ଅଛି ଆବର୍ଜନା ଗଦା ଓ ଭେଣ୍ଡିଙ୍ଗ ଜୋନ। ଏହି ସ୍ଥାନରେ ବି ପଡ଼ି ରହୁଛି କୁଢ଼ କୁଢ଼ ପୋଲିଥିନ ଆବର୍ଜନା। ଯାହାକୁ ଖାଇ ମୃତ୍ୟୁ ମୁଖରେ ପଡୁଛନ୍ତି ନିରୀହ ଜୀବଜନ୍ତୁ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ଏକ ଗାଈ ଗିରିରୋଡ ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଲୋକେ ଜିଲ୍ଲା ମୂଖ୍ୟ ପଶୁ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ସାହୁଙ୍କୁ ଖବର ଦେଇଥିଲେ। ଫଳରେ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପ୍ରଥମେ ପେଟର ଏକ ଛୋଟ ଅସ୍ତ୍ରୋପଚାର କରିବା ପରେ ଗାଈଟି ସୁସ୍ଥ ଅନୁଭବ କରୁଥିବା ଡାକ୍ତର ସତ୍ୟ ନାରାୟଣ କର ଦେଖି ଆଜି ଅସ୍ତ୍ରୋପଚାର କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୩୦ କିଲୋ ଓଜନର ପଲିଥିନ ଜରିର ଗୁଳା ବାହାରିଥିଲା। ଯାହାକୁ କି ଆଶ୍ଚର୍ଯ୍ୟ ବିଷୟ ହୋଇଛି ସହରରେ। ଚିକିତ୍ସାଳୟର କର୍ମଚାରୀ ହରି ଚନ୍ଦ୍ର ନାୟକ, ଦିଲ୍ଲୀପ ସୁର ସିଂ, ବିଜୁ ଲେଙ୍କା, ସାଇରାମ ରେଡ୍ଡୀଙ୍କ ସମେତ ଡାକ୍ତର ରମା ଗୌରୀ ଓ ଡାକ୍ତର ତନ୍ମୟୀ ପଟ୍ଟନାୟକ, ଡାକ୍ତର ସତ୍ୟନାରାୟଣ କରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଉକ୍ତ ଗାଈର ଅସ୍ତ୍ରୋପଚାର ହୋଇପାରିଥିଲା। ଫଳରେ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଯଦି ବିଏମସି ପକ୍ଷରୁ ଯଦି କୌଣସି ଉଚିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଏଭଳି ନିରୀହ ଜନ୍ତୁ ମୃତ୍ୟୁ ମୁଖରେ ପଡିବେ।

Leave A Reply

Your email address will not be published.