ଗତ ବର୍ଷ ତୁଳନାରେ ଏ ବର୍ଷ ଏବର୍ଷ ବଢ଼ିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗତ ବର୍ଷ ତୁଳନାରେ ଏ ବର୍ଷ ଏବର୍ଷ ବଢ଼ିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଚଳିତ ବର୍ଷ ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧,୧୫୪ ଡେଙ୍ଗୁ ରୋଗୀ । ଅନ୍ୟପକ୍ଷରେ ୨୦୨୨ ଅଗଷ୍ଟ ୩ ସୁଦ୍ଧା ଏହି ସଂଖ୍ୟା ଥିଲା ୧,୦୧୯। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଇନଚାର୍ଜ ଡାକ୍ତର ଗୁନୁରାଣୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକ ସଚେତନ ହୋଇଥିବାରୁ ଏହି ସଂଖ୍ୟା ବଢ଼ିଛି। ଜର ହେଲା ମାତ୍ରେ ଲୋକେ ଡେଙ୍ଗୁ ପରୀକ୍ଷା କରୁଛନ୍ତି। ଏ ବର୍ଷ ସବୁଠୁ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟରେ ଚିହ୍ନଟ ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୬୨% ଅର୍ଥାତ୍ ୭୧୫ ଜଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୦% କେବଳ ଭୁବନେଶ୍ଵର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଇନଚାର୍ଜ ଡାକ୍ତର ଗୁନୁରାଣୀ ପଟ୍ଟନାୟକ କହିଛନ୍ତି, ବିଶେଷ କରି ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ବାକି ସବୁ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ରହିଛି। ଏହି ସବୁ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୧୦ ତଳକୁ ରହିଛି। ଭୁବନେଶ୍ଵରରେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ।

ଭୁବନେଶ୍ୱର ମହାନଗର ନିଗମ (BMC) ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରତିକାର ପଦକ୍ଷେପ ନେଉଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢୁଛି ଚାପ। କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇ ଚିକିତ୍ସିତ ହେଲେଣି ୪୦୦ ଡେଙ୍ଗୁ ରୋଗୀ। ଏବେ ଚିକିତ୍ସିତ ହେଉଛନ୍ତି ୩୫ ଡେଙ୍ଗୁ ରୋଗୀ। ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୧୫୦ ରୋଗୀଙ୍କ ଡେଙ୍ଗୁ ପରୀକ୍ଷା ହେଉଥିବା ବେଳେ ପ୍ରାୟ ୪୦ ଜଣ ପଜିଟିଭ ବାହାରୁଛନ୍ତି। ଚଳିତ ବର୍ଷ ଏବେ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.