ଓଡିଆ ନ୍ୟୁଜ (ବ୍ୟୁରୋ) : ଆଇସିସି ଦିନିକିଆ ବିଶ୍ୱକପ ଆସନ୍ତା ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ୟ୍ୟନ୍ତ ଭାରତରେ ହେବାକୁ ଯାଉଛି । ଆଇସିସିର ଏହି ମେଗା ଇଭେଣ୍ଟ ପାଇଁ ୫ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି । ଅଷ୍ଟ୍ରେଲିଆ ୧୮ ଜଣିଆ ଦଳିଆ ଘୋଷଣା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଚୂଡାନ୍ତ ୧୫ ଜଣିଆ ଦଳ ଖୁବଶୀଘ୍ର ଘୋଷଣା କରିବ । ଘୋଷିତ ୧୮ ଜଣିଆ ଦଳରେ ଅନେକ ନାଁ ଚକିତ କରିଛି ।
ଅଲରାଉଣ୍ଡର ଆରୋନ ହାର୍ଡି ଓ ସ୍ପିନର ତନଭୀର ସାଂଘାଙ୍କୁ ଏହି ୧୮ ଜଣିଆ ଦଳରେ ସ୍ଥାନ ମିଳିଛି । ତେବେ ଦଳର ଭରସାଯୋଗ୍ୟ ବ୍ୟାଟର ମାର୍ନସ ଲାବୁସେନଙ୍କୁ ୧୮ ଜଣିଆ ଦଳରୁ ବାଦ ଦିଆଯାଇଛି । ଆଇସିସି ନିୟମ ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୮ ସୁଦ୍ଧା ସମସ୍ତ ଟିମ୍ ନିଜର ଦଳ ଘୋଷଣା କରିବେ । କିନ୍ତୁ ଏହାର ଢେର ଦିନ ପୂର୍ବରୁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଭାରତ ବିପକ୍ଷରେ ଖେଳିବ । ଚଳିତ ବିଶ୍ୱକପରେ କମିନ୍ସ ଦଳର ନେତୃତ୍ୱ ନେବେ ।