ଓଡିଆ ନ୍ୟୁଜ (ବ୍ୟୁରୋ) : ଲୋକସଭାରେ ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେତୃତ୍ୱ ନନେଇ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଗୌରବ ଗୋଗୋଇଙ୍କ ନେତୃତ୍ବ ନେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଗୌରବ ଗୋଗୋଇ ବିବୃତିରେ , ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ବୋଲି ପ୍ରଶ୍ନ କଲେ । ମଣିପୁର ପ୍ରସଙ୍ଗରେ କହିବାକୁ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ୮୦ ଦିନ ଲାଗିଗଲା । ୮୦ଦିନ ପରେ ମାତ୍ର ୩୦ସେକେଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ପର୍ୟ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଗଲାନି । ବିଜେପିର ଏଭଳ ରାଜନୀତି ପାଇଁ ମଣିପୁର ଆଜି ଦୁଇ ଭାଗ । ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେ ବିଫଳ । ରାଜଧର୍ମ ପାଳନ କରନ୍ତୁ ପ୍ରଧାନମନ୍ତ୍ରୀ । ଉତ୍ତର ପୂର୍ବାଞ୍ଚଳରେ ସରକାର ନୁହେଁ ଶାନ୍ତି ଜରୁରୀ । ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ବଦନାମ କରୁଛନ୍ତି ବୋଲି କହିଛନ୍ତି।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଣିପୁରରେ ଆଜି ବି ଇଣ୍ଟରନେଟ ନାହିଁ, ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି । ଭିଡ଼ିଓ ଭାଇରାଲ ହୋଇନଥିଲେ ପ୍ରଧାନମନ୍ତ୍ରୀ ଏବେ ବି ଚୁପ୍ ରହିଥାନ୍ତେ । ରାଜ୍ୟ ସରକାରଙ୍କ ଛବି ଖରାପ ନହେଉ ସେଥିପାଇଁ ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ଗୃହବିଭାଗ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବିଫଳ ହୋଇଛନ୍ତି । ମଣିପୁରବାସୀ ଆସି ନ୍ୟାୟ ମାଗୁଛନ୍ତି । ଆସାମ ରାଇଫଲ୍ସକୁ ଉକ୍ତ ସ୍ଥାନରୁ ହଟାଇ ଦିଆଯାଉଛି। ମଣିପୁରର ପୋଲିସ ଆସାମ ରାଇଫଲ୍ସ ଉପରେ ପ୍ରଶ୍ନ ଉଠାଉଛନ୍ତି । କେନ୍ଦ୍ର ଓ ମଣିପୁର ସରକାର କାର୍ୟ୍ୟରେ ସନ୍ତୁଷ୍ଟ ନହୋଇ ସୁପ୍ରିମକୋର୍ଟ କମିଟି ଗଠନ କରିଛନ୍ତି । ନିର୍ବାଚନରେ ଏକ ଉଗ୍ରବାଦୀ ଗ୍ରୁପର ସହାୟତା ନେଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି । ମୌନ ରହିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଜନତାଙ୍କ ସାମ୍ନାରେ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି ମୋଦୀ । ଭାରତ ପାଇ ପଦକ ଆଣିଥିବା ମହିଳା କୁସ୍ତିଯୋଦ୍ଧା ଯେତେବେଳେ ସଡକରେ ବିରୋଧ କରୁଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ । କୃଷି ଆନ୍ଦୋଳନରେ ୭୫୦ ଚାଷୀ ଭାଇଙ୍କ ଜୀବନ ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ ଥିଲେ । ଦିଲ୍ଲୀରେ ହିଂସା ବେଳେ ବି ପ୍ରଧାନମନ୍ତ୍ରୀ ମୌନ ଥିଲେ । ଅଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀ ମୌନ ଥିଲେ ବୋଲି ସେ କହିଛନ୍ତି। ସେପଟେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଉପରେ ରାହୁଲ ଗାନ୍ଧି କାହିଁକି ନେତୃତ୍ୱ ନେଲେନାହିଁ ବୋଲି ବିଜେପି ପ୍ରଶ୍ନ ଉଠାଇଛି ।