ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସଂସଦରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜାରି ରହିଛି ହାଇଭୋଲ୍ଟେଜ ବତର୍କ । ଆଜି ତୃତୀୟ ଦିନରେ ଅପରାହ୍ଣ ୪ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ଦେବେ ବୋଲି ଆଜି ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ କହିଛି। ଟୁଇଟ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲେଖିଛି: ଆଜି ସନ୍ଧ୍ୟା ପ୍ରାୟ ୪ଟା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରିବେ। ସୂଚନାଥାଉକି, ମଣିପୁର ହିଂସାକାଣ୍ଡ ବିଷୟରେ ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ ସମର୍ଥନରେ ଏନ୍ଡିଏ ସରକାରଙ୍କ ବିରୋଧରେ କଂଗ୍ରେସ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହେଉଛି ବିତର୍କର ତୃତୀୟ ତଥା ଅନ୍ତିମ ଦିବସ। ଗତ ଦୁଇ ଦିନର ବିତର୍କରେ ସରକାର ଓ ବିରୋଧୀ ଦଳର ବହୁ ବିଶିଷ୍ଟ ନେତା ମଣିପୁର ହିଂସାକାଣ୍ଡ ସମେତ ଅନେକ ବିଷୟରେ ଆଲୋଚନା କରିଥିଲେ।
ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ଲୋକସଭାରେ ଉଦ୍ବୋଧନ ଦେବାକୁ ଥିବାରୁ ସମୟ ପରିଚାଳନା ପାଇଁ ଗୃହରେ ସାଂସଦମାନଙ୍କୁ କହିବାକୁ ମାତ୍ର ୩ ମିନିଟ୍ ସମୟ ଦିଆଯାଉଛି। କଂଗ୍ରେସ ସାଂସଦ ମନିକମ୍ ଠାକୁର କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଆଗତର ପ୍ରଥମ ଦିନ ପ୍ରଧାନମନ୍ତ୍ରୀ କଂଗ୍ରେସ ସାଂସଦ ଗୌ୍ରବ ଗୋଗୋଇ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ବୋଲି ଆଶା କରାଯାଉଥିଲା।
ସେପଟେ, ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରେ ଅନାସ୍ଥା ଉପରେ ତାଙ୍କ ଭାଷଣ ରଖିଥିଲେ। ୩୦ ମିନିଟ୍ର ଭାଷଣରେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ କହିଛନ୍ତି, ସେନା ହିଁ ମଣିପୁରରେ ଶାନ୍ତି ଫେରାଇ ଆଣିପାରିବ। କିନ୍ତୁ ସରକାର ସେନା ମୁତୟନ କରୁନାହାନ୍ତି। ଆପଣ ଲୋକଙ୍କ ସ୍ବରକୁ ହତ୍ୟା କରିଛନ୍ତି, ଯାହାର ଅର୍ଥ ହେଉଛି ଆପଣ ମଣିପୁରରେ ଭାରତ ମାତାଙ୍କର ହତ୍ୟା କରିଛନ୍ତି। ମୋ ମା’ ଏଠାରେ ବସିଛନ୍ତି। ଅନ୍ୟ ଜଣେ ମା’ ଭାରତ ମାତାଙ୍କୁ ଆପଣ ମଣିପୁରରେ ହତ୍ୟା କରିଛନ୍ତି ।
ଆପଣ ସବୁଠି କିରୋସିନ ଢାଳିଛନ୍ତି ଏବଂ ମଣିପୁରରେ ନିଆଁ ଲଗାଇ ଦେଇଛନ୍ତି । ହରିୟାଣାରେ ମଧ୍ୟ ଆପଣ ଏହି ସମାନ କାମ କରିବାକୁ ଚାହାନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ଅମିତ ଶାହ ଏବଂ ଗୌତମ ଆଦାନୀଙ୍କ କଥା ଶୁଣୁଛନ୍ତି । ଯେମିତି ରାବଣ କେବଳ ୨ ଜଣଙ୍କ କଥା ଶୁଣୁଥିଲା ମୋଦି ସେମିତି କରୁଛନ୍ତି ବୋଲି ରାହୁଲ କହିଛନ୍ତି ।