ରାଜ୍ୟ ସରାକାରଙ୍କ ବଡ ଘୋଷଣା; ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟରେ ମିଳିବ ମାଗଣା ବହି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି ଘରୋଇ ତଥା ସରକାରଙ୍କ ଅନୁଦାନ ପ୍ରାପ୍ତ ହୋଇନଥଇବା ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି। ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ୟ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ।

ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ, ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି।

ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି। ତେବେ ଘରୋଇ ସ୍କୁଲରେ ବହି ଯୋଗାଇବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.