ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଚଳିତବର୍ଷ ମଧ୍ୟ ରାଜଧାନୀରେ ଡେଙ୍ଗୁ ମଶା ମାରିବ ଡ୍ରୋନ। ଭୁବନେଶ୍ୱର ମହାନଗର ନିଗମ ଡେଙ୍ଗୁ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଡେଙ୍ଗୁ ମଶା ମାରିବା ପାଇଁ ଫଗିଂ କରାଯାଉଛି। ଏହାସହ ଲାର୍ଭେସାଇଟ ମଧ୍ୟ ପକାଯାଉଛି। ହେଲେ ବଡ଼ ବଡ଼ ଡ୍ରେନମାନଙ୍କରେ ରସାୟନିକ ସ୍ପ୍ରେ କରିବା ସମ୍ଭବପର ହେଉନାହିଁ। ଏଥିପାଇଁ ଖୁବ୍ ଶୀଘ୍ର ଡ୍ରୋନର ବ୍ୟବହାର କରାଯିବ।
ବିଶେଷ ଭାବେ ଅପହଞ୍ଚ ଜଳ ଉତ୍ସଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଡେଙ୍ଗୁ ପାଇଁ ବିଏମ୍ସି ପକ୍ଷରୁ ସମସ୍ତ କାର୍ୟ୍ୟକ୍ରମ କରାଯାଉଛି। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା। ସେହିପରି ସାପ୍ତାହିକ ଡ୍ରାଏ ଡେ ସମେତ ଅଗଷ୍ଟ ୧୫ରୁ ଘରଘର ବୁଲି ମଶା ଖୋଜିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି। ଘରେ ମଶା ଉତ୍ପତ୍ତିସ୍ଥଳ ଦେଖିଲେ ଅମାନିଆଙ୍କଠୁ ୧୦୦୦ଟଙ୍କା ଆଦାୟ ହେବ । ଏହାସହ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ୟ୍ୟନ୍ତ ଫାଇନ କରିବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।