ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ‘ଦିଲ୍ଲୀ ସେବା ଅଧିନିୟମ’ ସମେତ ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ୪ଟି ଚିଠା ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ବାକି ୩ଟି ଚିଠା ବା ‘ବିଲ୍’ ମଧ୍ୟରେ ରହିଛି, ‘ଡିଜିଟାଲ୍ ପର୍ସଲାନ୍ ଡାଟା ପ୍ରୋଟେକ୍ସନ୍ ବିଲ୍’, ‘ଦି ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥସ୍ ଆଣ୍ଡ୍ ଡେଥ୍ସ୍ ବିଲ୍’, ‘ଦି ଜନ ବିଶ୍ବାସ ବିଲ୍’ , ଏବଂ ‘ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାସ୍ନାଲ୍ କ୍ୟାପିଟାଲ୍ ଟେରିଟରି ଅଫ୍ ଡେଲି ବିଲ୍’।
ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇବା ପରେ ଏ ସବୁ ଏବେ ଆଇନରେ ପରିଣତ ହୋଇଛି। ସ୍ବାକ୍ଷରିତ ହୋଇ ଆଇନରେ ପରିଣତ ହୋଇଥିବା ଉପରୋକ୍ତ ‘ବିଲ୍’ ଗୁଡ଼ିକ ମଧ୍ୟରୁ ଅନ୍ୟୂନ ୨ଟି ‘ବିଲ୍ଦକୁ ବିରୋଧୀ ଦଳ ତୀବ୍ର ବିରୋଧ କରୁଥିଲେ। ସେଥିରୁ ‘ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାସ୍ନାଲ୍ କ୍ୟାପିଟାଲ୍ ଟେରିଟରି ଅଫ୍ ଡେଲି (ଦିଲ୍ଲୀ) ବିଲ୍’ ଗୋଟିଏ। ଅଗଷ୍ଟ ୧ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଚିଠାକୁ ଲୋକସଭାରେ ଆଗତ କରିଥିଲେ। ଜାତୀୟ ରାଜଧାନୀରେ ଅମଲା ସେବା ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ବିବାଦୟୀ ଅଧ୍ୟାଦେଶ ଉଠାଇବା ପାଇଁ ଏହି ଚିଠା ଆଗତ କରାଯାଇଥିଲା। ଏହି ‘ବିଲ୍’ ବା ଅଧିନିମୟ ଆଇନରେ ପରିଣତ ହେଲେ ବଳରେ ଜାତୀୟ ରାଜଧାନୀରେ ଅମଲାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବ ରହିବ ବୋଲି କୁହାଯାଉଛି।