ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହେବାପରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ଲାଗି ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ ମୁଖ୍ୟତଃ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସମୂହରେ ମଧ୍ୟମ ଧରଣର ବର୍ଷା ଓ କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ମୟୁରଭଞ୍ଜ ଓ ସମ୍ବଲପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି।ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଜଗତସିଂହପୁର ଓ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ,ଅନଗୁଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।
କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ବି ରହିଛି। ଏହି କାରଣରୁ ଉକ୍ତ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୪ ତାରିଖରେ କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଦେବଗଡ଼, କେନ୍ଦୁଝର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା ରହିଛି।