ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ‘ବିଜେପି’ ସଂଖ୍ୟାଲଘୁ ୟୁନିଟ୍ର ମୁଖ୍ୟା ସାନା ଖାନ୍ଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା କଥା ଜବଲପୁର ପୁଲିସ କହିଛି। ଗତ ସପ୍ତାହରୁ ନିଖୋଜ ହୋଇଯାଇଥିଲେ ସନା । ମିଳିତ ଅଭିଯାନ ଚଳାଇ ଜବଲପୁର ଓ ନାଗପୁର ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ଓରଫ୍ ପପ୍ପୁ ସାହୁଙ୍କୁ ଗିରଫ କରିଛି। ଅମିତଙ୍କୁ ଭେଟିବା ପାଇଁ ସାନା ଖାନ୍ ନାଗପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଇଥିଲେ।
ସାନା ଦୁଇ ଦିନ ମଧ୍ୟରେ ଘରକୁ ଫେରିବା କଥା, କିନ୍ତୁ ଫେରି ନ ଥିଲେ।ମଦ ଚୋରାଚାଲାଣ ବ୍ୟବସାୟରେ ସମ୍ପୃକ୍ତ ଥିବା ପପ୍ପୁ ଜବଲପୁର ନିଟକରେ ଗୋଟାଏ ପଥପାର୍ଶ୍ବ ଜଳଖିଆ ଦୋକାନ ବି ଖୋଲିଥିଲେ। ଆର୍ଥିକ କାରବାର ନେଇ ସାନା ଓ ପପ୍ପୁଙ୍କ ମଧ୍ୟରେ ବିବାଦ ଚାଲିଥିଲା। ପଚରାଉଚରା କରିବାରୁ ସାନାଙ୍କୁ ହତ୍ୟା କରିଥିବା କଥା ପପ୍ପୁ ସ୍ବୀକାର କରିଛନ୍ତି।
ସେ କହିଛନ୍ତି ଯେ, ଘରେ ସେ ସନାକୁ ପିଟି ପିଟି ମାରି ପକାଇଥିଲେ। ତା’ପରେ ତା’ର ଶବକୁ ନେଇ ଜବଲପୁରଠାରୁ ପ୍ରାୟ ୪୫ କିଲୋମିଟର୍ ଦୂରରେ ପ୍ରବାହିତ ହିରଣ ନଦୀରେ ଫିଙ୍ଗିଦେଇଥିଲେ। ଏକଥା ଜାଣିବା ପରେ ପୁଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।
ପୁଲିସ କହିବା ଅନୁସାରେ, ସାନା ଓ ପପ୍ପୁ ବିବାହ କରିଥିଲେ। କିନ୍ତୁ, ଟଙ୍କାପଇସା ପ୍ରସଙ୍ଗକୁ ନେଇ ତାଙ୍କର ଦୀର୍ଘ ଦିନରୁ ବିବାଦ ଲାଗିରହିଥିଲା। ନାଗପୁରରୁ ଜବଲପୁର ଆସି ପପ୍ପୁଙ୍କୁ ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା। ଉତ୍କ୍ଷିପ୍ତ ହୋଇ ପପ୍ପୁ ସନାଙ୍କ ମୁଣ୍ଡରେ ପାହାର ପକାଇବାରୁ ତାଙ୍କର ମୃତ୍ୟୁ ହୋଇଗଲା।