ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି, ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଦେଇ ଏହା କହିଲେ ପ୍ରଧାନମନ୍ତ୍ରୀ
ଓଡିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୫ମ ପୁର୍ଣ୍ଣ୍ୟ ତିଥି । ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳଦରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଝିଅ, ଜ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ୨୦୧୮ ଅଗଷ୍ଟ ୧୬ରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା । ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ବାଜପେୟୀଙ୍କ ଜନ୍ମ ୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ହୋଇଥିଲା ।
ଶ୍ରଦ୍ଧାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାଜପେୟୀଙ୍କ ନେତୃତ୍ବରେ ଭାରତ ଖୁବ୍ ଉପକୃତ ହୋଇଛି। ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋ ଦୀ ‘ଏକ୍ସ’ କରି (ଟୁଇଟ୍) କହିଛନ୍ତି, ଭାରତର ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଘେନିଯିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅତୁଳନୀୟ ଅଟଳଜୀଙ୍କ ପୂଣ୍ୟତିଥିରେ ଭାରତର ୧୪୦ କୋଟି ଜନତାଙ୍କ ସହିତ ମିଶି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ଉଲ୍ଲେଖଯୋଗ୍ୟ, ୧୯୨୪ରେ ଗ୍ବାଲିୟର୍ରେ ଜନ୍ମିତ ବାଜପେୟୀ ୧୯୯୬ ମେ’ ୧୬ରୁ ୧୯୯୬ ଜୁନ୍ ୧ ତାରିଖ ପର୍ୟ୍ୟନ୍ତ ଓ ପୁଣି ୧୯୯୮ ମାର୍ଚ୍ଚ ୧୯ରୁ ୨୦୦୪ ମେ ୨୨ ପର୍ୟ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାଛଡ଼ା, ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କ କ୍ୟାବିନେଟ୍ରେ ୧୯୭୭ରୁ ୧୯୭୯ ପର୍ୟ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ୯୩ ବର୍ଷ ବୟସରେ ୨୦୧୮ ଅଗଷ୍ଟ ୧୬ରେ ଦିଲ୍ଲୀର ‘ଏମ୍ସ୍ ହସ୍ପିଟାଲ’ରେ ତାଙ୍କର ଦେହାନ୍ତ ହୋଇଥିଲା।