ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ସାରା ଦେଶରେ ପ୍ରାୟ ୧୦,୦୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ ହେବ । ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ଅଧୀନରେ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲରେ ୧୦୦୦୦ ଇ-ବସ୍ ସହିତ ସିଟି ବସ୍ ଚଳାଯିବ । ପାଖାପାଖି ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ଚାଲିବାକୁ ଥିବାବେଳେ ଏହି ଯୋଜନାରେ ୧୦ ବର୍ଷ ପାଇଁ ବସ୍ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଇ-ବସ ସେବା ସହ ଗତକାଲି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବିଶ୍ୱକର୍ମା ଯୋଜନାକୁ ବି ଆଜି କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି ।
କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ କାରିଗରମାନଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ । ଆଉ କେନ୍ଦ୍ର କ୍ୟାବିନେଟ ୧୩୦୦୦ କୋଟି ଟଙ୍କାର ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ କରିଛି। ସେ କହିଛନ୍ତି ଯେ ଏହି ଯୋଜନା ମାଧ୍ୟମରେ କାରିଗରମାନଙ୍କୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ୫ ପ୍ରତିଶତ ସୁଧରେ ଦିଆଯିବ । ବିଶ୍ୱକର୍ମା ଯୋଜନା ଦ୍ୱାରା ୩୦ ଲକ୍ଷ କାରିଗର ପରିବାର ଉପକୃତ ହେବେ । ଏହା ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ୧୪,୯୦୩ କୋଟି ଟଙ୍କାର ଡିଜିଟାଲ୍ ଇଣ୍ଡିଆ ବିସ୍ତାର ଯୋଜନାକୁ ଅନୁମୋଦନ କରିଛି। ସେହିପରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଡିଜି ଲକର କେବଳ ନାଗରିକଙ୍କ ପାଇଁ ଉପଲବ୍ଧ ଥିବାବେଳେ ୪୦୦ ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି । ଖୁବ୍ ଶୀଘ୍ର ଏମଏସଏମଇ ପାଇଁ ଡିଜି ଲକର ସୁବିଧା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।