ସାରଦା ଗ୍ରୁପର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ସହ ଜରିମାନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାରଦା ଗ୍ରୁପର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ସହ ଜରିମାନା।  ଚିଟଫଣ୍ଡ କମ୍ପାନୀ ‘ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍’ର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଜରିମାନା ଶୁଣାଇଛନ୍ତି ବାଲେଶ୍ବରର ସ୍ୱତନ୍ତ୍ର କୋର୍ଟ। କୋଟି କୋଟି ଟଙ୍କାର ନିବେଶକଙ୍କଠାରୁ ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି। ଏହି ମାମଲାରେ ଇଓଡବ୍ଲ୍ୟୁ ତଦନ୍ତ କରିଥିଲା। ପରେ ମାମଲାର ଶୁଣାଣି କରି ଓଡ଼ିଶା ପ୍ରୋଟେକ୍ସନ୍ ଅଫ୍ ଇଣ୍ଟରେଷ୍ଟ ଅଫ୍ ଡିପୋଜିଟର୍ସ (ଓପିଆଇଡି) କୋର୍ଟର ବିଚାରପତି ବିଶ୍ୱଜିତ ଦାସ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡର ଓଡ଼ିଶା ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ଶାଖା ପରିଚାଳକ ବାସୁଦେବ ସାମଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ଓପିଆଇଡି ଆଇନର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପାଇଁ କଠୋର କାରାଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ୨.୪ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ରାଶି ପୈଠ ନ କଲେ ଦୋଷୀଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଚିଟଫଣ୍ଡ କମ୍ପାନୀ ସାରଦା ରିୟଲିଟି କମ୍ପାନୀର ବାଲେଶ୍ୱରରେ ଏକ ଶାଖା କାର୍ଯ୍ୟାଳୟ ରହିଛି। ୨୦୧୦ରୁ ୨୦୧୩ ମଧ୍ୟରେ ଅନୈତିକ ଭାବେ ୨୭୩୫ ଜଣ ଲୋକଙ୍କ ଠାରୁ ୪ କୋଟି ୧୬ ଲକ୍ଷ ଟଙ୍କା ଠକେଇ କରିଥିଲା। କୋଲକାତାର ଏହି ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ୧୩୪ଟି ସମ୍ପତ୍ତି ୨୦୧୫ରେ ସେବି ଜବତ କରିଥି୍ଲା ।

Leave A Reply

Your email address will not be published.