ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଅନୁଗୁଳ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ତତ୍ପରତା ପ୍ରକାଶ କରି ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧକ୍ଷା ମିନତି ବେହେରା।
ସୂଚନାଥାଉକି, ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ସହିତ ଘଟିଥିବା ଏହି ଘଟଣା ସଂପର୍କରେ ଗତ ୧୩ ତାରିଖ ଦିନ ସେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଏହି ଘଟଣାରେ ଏଯାଏ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଆଜି ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି। ଜାତୀୟ ମାନବାଧିକାର କମିସନରେ ସାମାଜିକ କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଓ ପୀଡ଼ିତା ହୋମଗାର୍ଡ଼ଙ୍କୁ କ୍ଷତିପୂରଣ ଦାବିରେ ଏହି ମାମଲା ରୁଜୁ ହୋଇଛି। ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଡିଆଜି ବ୍ରିଜେଶ ରାଓ ଓ ପତ୍ନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ମହିଳାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ଡିଆଜିଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ମହିଳା ହୋମଗାର୍ଡ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ ଏଭଳି ନିର୍ୟାତନାର ଶିକାର ହୋଇଛନ୍ତି। ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସୈରିଦ୍ରୀ ଉଲ୍ଲେଖ କରିଛନ୍ତି, ସେ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ୟ୍ୟ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି। ଗଲା ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ।