ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର। ଏଥିପାଇଁ ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଏହି ପାନେଲ୍ ବା କମିଟିର ସଦସ୍ୟମାନଙ୍କ ବିଷୟରେ ପରେ ବିଜ୍ଞପ୍ତି ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପାର୍ଲାମେଣ୍ଟ୍ର ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି ବୋଲି ଗୁରୁବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଥିଲା। ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥା ହେଉଛି ସମଗ୍ର ଦେଶରେ ଏକ ସମୟରେ ସମସ୍ତ ନିର୍ବାଚନ ସମ୍ପନ୍ନ କରାଯିବା। କିନ୍ତୁ, ବହୁଦଳୀୟ ଗଣତନ୍ତ୍ରରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ବିରୋଧୀ ଦଳ ସବୁ ସରକାରଙ୍କର ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ପ୍ରତି ଦେଶରେ ପୃଥକ୍ ଭାବେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯାଉଛି। କିନ୍ତୁ, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ କଲେ ନିର୍ବାଚନ ଖର୍ଚ୍ଚ କମିଯିବ ବୋଲି ଏହାର ସମର୍ଥକମାନେ କହୁଛନ୍ତି।