ଲଘୁଚାପର ରୂପ ନେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ, ସପ୍ତାହେ ଯାଏଁ କାଚିବ ବର୍ଷା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଲଘୁଚାପର ରୂପ ନେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଚିବ ବର୍ଷା। ଏନେଇ ପୂର୍ବାନୁମାନ କରିଛନ୍ତି ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ । ସେପଟେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଡ. ପଶୁପାଳକ କହିଛନ୍ତି, ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । ଏହି ସମୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୪ ତାରିଖ ଅପେକ୍ଷାକୃତ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

ଶୁକ୍ରବାର ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକକୁ ସତର୍କତା ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩୦ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼ ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୧ ତାରିଖରୁ ଆହୁରି ବଢ଼ିବ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

 

Leave A Reply

Your email address will not be published.