ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ନା ହ୍ରଦ ନା ନଦୀ ନା ସମୁଦ୍ର । କେନାଲ ଦେଉଛି କେରଳ ଓ କାଶ୍ମୀର ମଜା । ବିଶାଳ କେନାଲରେ ସୁନ୍ଦର ନୌକାବିହାର । ସଞ୍ଜ ହେଉ ନ ହେଉଣୁ ମନମୁଗ୍ଧକର ମୁହୂର୍ତକୁ ଉପଭୋଗ କରିବା ପାଇଁ ଜମୁଛି କଟକିଆଙ୍କ ଭିଡ । କେରଳ ସମୁଦ୍ରର ମଜା ଦେଉଥିବା ଏ ଦୃଶ୍ୟ ହେଉଛି କଟକ ତାଳଦଣ୍ଡା କେନାଳର । ନିଜେ ନଦେଖିଲେ ବିଶ୍ୱାସ କରିବେ ନାହିଁ ଏହା ଏକ କେନାଳ ବୋଲି । ସକାଳେ ଯେତିକି ସୁନ୍ଦର ଅନ୍ଧାର ରାତିରେ ଝିକିମିକି ଲାଇଟରେ ଆହୁରି ରୋମାଂଚକ ହୋଇ ଉଠୁଛି କେନାଲ । ସତେ ଯେମିତି କଟକର କୋଳରେ ପ୍ରକୃତି ରାଣୀ ଅପରୂପ ସୌନ୍ଦର୍ଯ୍ୟ ଶୋଭାକୁ ଢାଳି ଦେଇଛି । ତାଳଦଣ୍ଡା କେନାଲକୁ ନୂଆ ରୂପ ରେ ପାଇବା ପରେ ଖାଲି କଟକବାସୀ ନୁହେଁ ସମସ୍ତଙ୍କ ପାଇଁ ଏକ ନିଆରା ସୁ୍ଯୋଗ ସୃଷ୍ଟି ହୋଇଛି ।
ଓଡିଶାର ବିଭିନ୍ନ ସ୍ଥାନରୁ ତାଳଦଣ୍ଡା କେନାଳର ମଜା ନେବାକୁ ଆସୁଛନ୍ତି ପର୍ଯ୍ୟଟକ । ସନ୍ଧ୍ୟା ହେଲେ ବୋଟରେ ବସି ଖାଦ୍ୟ ପାନୀୟ ଓ ମୁ୍ୟଜିକ୍ର ମଜା ନେଇ ଯୋବ୍ରା ପାଖରୁ ରାଣୀହାଟ କ୍ଲକ୍ ଟାୱାର ଯାଏଁ ବୁଲୁଛନ୍ତି ପର୍ଯ୍ୟଟକ । ରାଜ୍ୟର ଦୀର୍ଘତମ କେନାଲ ହେଉଛି ତାଲଦଣ୍ଡା । ୧୮୬୯ ମସିହାରେ ଇଂରେଜ ଶାସନ ସମୟରେ ଏହି କେନାଲ କରାଯାଇଥବା ବେଳେ ଏହା ଅନେକ ଇତିହାସର ମୂଳ ସାକ୍ଷୀ ।
ଦିନ ଥିଲା ଏହି ତାଳଦଣ୍ଡା କେନାଲରେ ବଡ ମେଡିକାଲର ସାଲାଇନ ବୋତଲ, ପୂଜରକ୍ତ ଭିଜା ଗଜ କନା, ଅଜଣା ଶବ ହେଉକି, ଛତ୍ରବଜାରର ପଚା ପନିପରିବା ଅବା ମାଲଗୋଦାମର ଆବର୍ଜନା କେତେ କଣ ପଡି ରହୁଥିଲା । ହେଲେ ଏବେ ସମୟ ବଦଳିଛି । କଟକ ଛାତିରେ ତାଳଦଣ୍ଡ କେନାଲ ଏକ ନୂତନ ଇତିହାସ ରଚିଛି । ଦିନେ ଲୋକେ ସେଇ କେନାଲ ଦେଇ ନାକଟେକି ଯାଉଥିବା ବେଳୋ ଏବେ ସନ୍ଧ୍ୟା ହେଲେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଜନଗହଣରେ ଏହାର ଲୋକପ୍ରିୟତାକୁ ବଜାୟ ରଖିବା ଦାୟିତ୍ୱ ଏବେ କଟକ ମହାନଗର ନିଗମର ।