ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଆତତାୟୀଙ୍କ ଗୁଳିରେ ଟଳିଲା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ । ପାକିସ୍ତାନର ଜୈଶ-ଏ-ମହମ୍ମଦ ସଂଗଠନର କୁଖ୍ୟାତ ଆତଙ୍କବାଦୀ ଶାହିଦ ଲତିଫକୁ ହତ୍ୟା କରାଯାଇଛି । ପାକିସ୍ତାନର ସିଆଲକୋଟ ଠାରେ ଏକ ମସଜିଦ ସାମ୍ନାରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।
ଅନ୍ୟପଟେ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଶାହିଦ ଲତିଫ । ଭାରତରେ ହୋଇଥିବା ଅନେକ ଆତଙ୍କୀ ହାମଲାରେ ମଧ୍ୟ ତାର ହାତ ରହିଥିଲା । ଯେଉଁଥିପାଇଁ ତା ବିରୋଧରେ ଭାରତର ବେଆଇନ କାର୍ୟ୍ୟକଳାପ ବିରୋଧ ଆଇନ ଲାଗୁ ହେବା ସହ ଭାରତ ସରକାରଙ୍କ ଦ୍ବାରା ଆତଙ୍କବାଦୀ ଘୋଷଣା ହୋଇଥିଲା । ଆଜି ଶାହିଦ ଲତିଫ ପାକିସ୍ତାନର ପଞ୍ଜାବ ରାଜ୍ୟର ସିଆଲକୋଟଠାରେ ଥିବା ଏକ ମସଜିଦରେ ନମାଜ ପାଠ କରି ଫେରୁଥିବା ବେଳେ ମସଜିଦ ସାମ୍ନାରେ ଏହି ଆକ୍ରମଣ ହୋଇଥିଲା ।
ଗୋଟିଏ ମୋଟର ସାଇକେଲରେ ୩ ଜଣ ଆତତାୟୀ ଆସି ମସଜିଦ ସାମ୍ନାରେ ଶାହିଦ ଓ ତାର ୨ ସହଯୋଗୀଙ୍କ ଉପରେ ଅତର୍କିତ ଭାବେ ଆଖିବୁଜା ଗୁଳି ଚଳାଇଥିଲେ । ଶାହିଦ ଓ ଅନ୍ୟ ଏକ ସହଯୋଗୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସହଯୋଗୀ ଆହତ ହୋଇଛି ।