ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଅକ୍ଟୋବରରେ କଲବଲ କରୁଛି ତାତି । ରାଜ୍ୟ ସାରା ସବୁଠି ଅସହ୍ୟ ତାତିକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି।
ଆଗାମୀ ୪ ଦିନ ଏଭଳି ପାଗ ଲାଗି ରହିବ । ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ୧୮ ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଛି । ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଚଳିତ ବର୍ଷ ମେଘମୁକ୍ତ ଆକାଶ ଏବଂ ବର୍ଷା ନ ଥିବାରୁ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଓଡ଼ିଶା ରେ ଏବେ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି ।
ଫଳରେ ଓଡ଼ିଶାରେ ଜିଲ୍ଲାଗୁଡିକରେ ପାଗ ଶୁଖିଲା ରହିଛି । ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ନାହିଁ । ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି । ବାୟୁମଣ୍ଡଳରେ ଆଦ୍ରତା ଅଧିକ ମଧ୍ୟ ରହିଛି ଯାହା ଫଳରେ ବର୍ତ୍ତମାନ ରାଜ୍ୟରେ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି । ଏପରି ସ୍ଥିତି ଆଗକୁ ଆହୁରି ୫ଦିନ ଲଗିରହିବ ବୋଲି ଭୁବନେଶ୍ବର ସ୍ଥିତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।