ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଆଇସିସି ୱାର୍ଲ୍ଡକପ ୨୦୨୩ରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳିସାରିଛି ଭାରତ । ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ବେଳେ ଦ୍ୱିତୀୟ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ଦୁଇଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । କିନ୍ତୁ ଏହି ଦୁଇଟି ମ୍ୟାଚରେ ନିଜର ଅସୁସ୍ଥତା ଯୋଗୁ ଖେଳି ପାରିନାହାନ୍ତି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ । ଏହାସହ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଗିଲଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଥିଲା । କିନ୍ତୁ ଏବେ ଏମିତି ଲାଗୁଛି, ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି ।
କାରଣ ଏବେ ଶୁଭମନ ନେଟରେ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳୁଛି । ଏଣୁ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବା ନେଇ ସମ୍ଭାବନା ଦେଖାଦେଇଛି । ଏହାରି ଭିତରେ ୱାର୍ଲ୍ଡ ଚାମ୍ପିଆନ ଟିମର ଖେଳାଳୀ ଯୁବରାଜ ସିଂହ ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଗିଲଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି । ଏହାସହ ସେ ନିଜର କ୍ୟାନ୍ସର ବେଳର ଅବସ୍ଥାକୁ ମଧ୍ୟ ମନେ ପକାଇଛନ୍ତି । ସେ ଶୁଭମନ ଗିଲଙ୍କୁ କହିଛନ୍ତି ଯେ, ଭାରତର ବିଜୟ ପାଇଁ ମୁଁ କ୍ୟାନ୍ସରରେ ପୀଡିତ ଥିବା ସତ୍ୱେ ମ୍ୟାଚ ଖେଳିଥିଲି । ତେଣୁ ଗିଲ ମଧ୍ୟ ନିଜ ମନରେ ସାହସ ଓ ଇଚ୍ଛାଶକ୍ତି ବଢାଇବା ସହ ପାକିସ୍ତାନ ବିପକ୍ଷ ମ୍ୟାଚ ନିଶ୍ଚୟ ଖେଳିବେ । ଏହାସହ ଯୁବରାଜ କହିଛନ୍ତି ଯେ, ମୁଁ ଜାଣେ ଯେତେବେଳେ ଜଣକୁ ଡେଙ୍ଗୁ ବା ଅନ୍ୟ କୌଣସି ଜ୍ୱର ହୋଇଛି, ସେହି ସମୟରେ ମ୍ୟାଚ ଖେଳିବା ଅତ୍ୟନ୍ତ କଷ୍ଟକର । ମୁଁ ବି ଏପରି ସମସ୍ୟା ଅନେକଥର ମୋ ଜୀବନରେ ସାମ୍ନା କରିଛି ।
କିନ୍ତୁ ଏଭଳି ପରିସ୍ଥିତିରେ ମନରେ ଆଶା ସଂଚାର କରି ମଇଦାନକୁ ଓହ୍ଲାଇବା ଉଚିତ । ବାସ୍ତବରେ ଦେଖିବାକୁ ଗଲେ ବର୍ତମାନ ଭାରତୀୟ ଟିମର ଆତ୍ମବିଶ୍ୱାସ ଅଧିକ ରହିଛି । କାରଣ ପ୍ରାରମ୍ଭରେ ଦୁଇ ଦୁଇଟି ମ୍ୟାଚରେ ଭାରତକୁ ବିଜୟ ମିଳିଛି । ତେଣୁ ଯଦି ଶୁଭମନ ଗିଲ ପାକିସ୍ତାନ ବିପକ୍ଷ ମ୍ୟାଚରେ କମବ୍ୟାକ କରୁଛନ୍ତି ତେବେ ଭାରତର ପ୍ରଦର୍ଶନ ଭଲ ରହିବା ସହ ବିଜୟ ସୁନିଶ୍ଚିତ ବୋଲି ଆଶା ରହିଛି ।