ଭିକ୍ଷୁକ ଥଇଥାନ ନାଁ ରେ ଚାଲିଛି ହରିଲୁଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭିକ୍ଷୁକ ଥଇଥାନ ନାଁ ରେ ଚାଲିଛି ହରିଲୁଟ ଓ  ବଳି ପଡୁଛନ୍ତି ଅନ୍ତେଃବାସୀ। କଟକ ସହରକୁ ଭିକ୍ଷୁକ ମୁକ୍ତ କରାଇବା ପାଇଁ ଅସହାୟ, ନିରାଶ୍ରୟ ବୁଲା ଭିକାରୀ ମାନଙ୍କୁ ନେଇ, ଥଇଥାନ କରିବା ପାଇଁ CMC ତରଫରୁ ବିଭିନ୍ନ ବେସରକାରୀ ସଂସ୍ଥାକୁ ନ୍ୟସ୍ତ କରାଯାଇଛି। କଟକ ୪୨-ମୌଜା , ବେଣ୍ଟକାର ଠାରେ ଥିବା ଆନନ୍ଦଆଳୟ ଆଶ୍ରମ ସେଥିମଧ୍ୟରୁ ଅନ୍ୟତମ। ଗତ ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଆନନ୍ଦାଳୟରେ ଏବେ  ୮୫ ଜଣ ଅନ୍ତେବାସୀ ଓ ୬ ଜଣ କର୍ମଚାରୀ ଅଛନ୍ତି ବୋଲି ଦାବି କରନ୍ତି କର୍ତ୍ତୃପକ୍ଷ । କିନ୍ତୁ ବିଡ଼ମ୍ବନାର କଥା ଯେ  ସୁରକ୍ଷା ନାଁ ରେ ୨୪ଘଣ୍ଟା ଫାଟକରେ ତାଲା ପକାଇ ରଖା ଯାଉଥିବା ଏହି ଆନନ୍ଦାଳୟରେ ଭିକ୍ଷୁକ ଓ ନିରାଶ୍ରୟ ଙ୍କୁ ଥଇଥାନ କରିବା ପରିବର୍ତ୍ତେ ଅନ୍ତେଃବାସୀ ଙ୍କୁ ଅକଥନୀୟ ମାଡ ମରା ଯିବା, ବିନା ଡାକ୍ତରୀ ପରାମର୍ଶ ରେ ବଟିକା ଖାଇବାକୁ ବାଧ୍ୟ କରାଯିବା, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଦେବା ଭଳି ସାଂଘାତିକ ତଥ୍ୟର ଖୁଲାସା ହୋଇଛି।

ସବୁଠାରୁ ଆଶ୍ଚର୍ଯ୍ୟ କଥା ସଂଖ୍ୟା ବଢାଇବା ଚକରରେ ପତିତ ଉଦ୍ଧାର ସମିତି ପକ୍ଷରୁ କିଛି ଅଣ ଭିକ୍ଷୁକ ଓ ଭଲ ଲୋକଙ୍କୁ ତାଙ୍କ ଅନିଚ୍ଛା ସତ୍ତ୍ବେ ଉଠାଇ ଆଣି ଏହି ଆଶ୍ରମରେ ରଖିଛନ୍ତି। ହଠାତ୍ ଏକ ଘଟଣାକ୍ରମରେ ଗତ ଶନିବାର ଦିନ ରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଦିନ ମଜୁରୀ ଯିବାକୁ ଛିଡ଼ା ହୋଇଥିବା ବେଳେ ଏକ କାର ତାକୁ ଉଠାଇ ଆଣି ଏହି ଆଶ୍ରମରେ ଜବରଦସ୍ତ ରଖି, କର୍ମଚାରୀ ମାନେ ତାଙ୍କୁ ବିଭିନ୍ନ ଔଷଧ ବଟିକା ଖାଇବାକୁ ବାଧ୍ୟ କରିଥିଲେ । ଶେଷରେ ରଞ୍ଜନ ନିଜକୁ ଅସୁରକ୍ଷିତ ଦେଖି ରାତି ଅଧରେ ପାଚେରୀ ଡେଇଁ ନିକଟସ୍ଥ ବେଣ୍ଟ କାର ଥାନା ରେ ଲିଖିତ ଏତଲା ଦେବା ପରେ ଥାନା ଅଧିକାରୀ ଗିରିଶ ମହାରଣା ଙ୍କ ହସ୍ତକ୍ଷେପ ଯୋଗୁଁ ଲୋକଟି ତାର ଜିନିଷପତ୍ର ଫେରି ପାଇଲା। ତେବେ ଘଟଣାର ଅନୁଧ୍ୟାନ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପ୍ରାୟ ବର୍ଷ ତଳେ ସ୍ଥାନୀୟ ବହଳପଡା ଗାଁର ଭରତ ପରିଡ଼ା ନାମକ ଜଣେ ମାନସିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏହି  ଆନନ୍ଦାଳୟରେ ରଖା ଯାଇଥିଲା,କିନ୍ତୁ ପରେ ଯାଇ ଗାଁ ଲୋକେ ପଚାରିବାରୁ କର୍ତ୍ତୃପକ୍ଷ କହିଲେ ଏପରି କେହି ଲୋକ ଏବେ ନାହାନ୍ତି ଓ ତାଙ୍କର କେବେଠାରୁ ମୃତ୍ୟୁ ହୋଇ ସାରିଛି।ଏବାବଦରେ ନିଖୋଜ ଭରତ ପରିଡାଙ୍କ ସମ୍ପର୍କୀୟ ମଧ୍ୟ ୪୨-ମୌଜା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।ଏସମସ୍ତ ଘଟଣାର ଅନୁସଂଧାନ ଜାରି ରଖିଥିବା କଥା କହିଛନ୍ତି ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା। ତେବେ ପ୍ରଶ୍ନ ଉଠୁଛି ଲକ୍ଷାଧିକ ଟଙ୍କାର ବ୍ୟୟରେ ଅନ୍ତେଃବାସୀ ଙ୍କ ପାଇଁ କରା ଯାଇଥିବା ସୁବିଧା କାହା ପାଇଁ?  ଏହାକୁ ତଦାରଖ କରୁଥିବା CMC କର୍ତ୍ତୃପକ୍ଷ କ’ଣ ପାଇଁ ନିରବ ? ଥଇଥାନ ନାଁ ରେ ଚାଲିଥିବା ଅନ୍ତେଃବାସୀ ଙ୍କ ନିଖୋଜ ଓ ଶୋଷଣ ପାଇଁ କିଏ ଉତ୍ତରଦାୟୀ ?

ଭିକାରୀ ଥଇଥାନ ନାଁ ରେ ଲକ୍ଷାଧିକ ଟଙ୍କାର ହରିଲୁଟ କାହା ସାହସରେ ଚାଲିଛି ତାହା ତଦନ୍ତ ପରେ ଜଣା ପଡିବ। ଏବାବଦରେ CMC ଡେପୁଟି କମିସନର ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିନାହିଁ।ଅନୁସନ୍ଧାନ ରୁ ଜଣା ପଡିଛି ଯେ ଭଡ଼ା ସୂତ୍ରରେ ଚାଲୁଥିବା ଏହି ସଂସ୍ଥାରେ ଅନ୍ତେଃବାସୀ ଖୁବ୍ କମ ଯାଗାରେ, ଅତି ଅସ୍ୱାସ୍ଥ୍ୟକର ଓ ଦୁର୍ଗନ୍ଧ ମୟ ପରିବେଷରେ, ମହିଳା ପୁରୁଷ ଙ୍କୁ ଗୋଟିଏ ଜାଗାରେ ଏପରି ଦୟନୀୟ ଭାବେ ରଖା ଯାଇଛି ଯାହାକି ନିଜେ ନଦେଖିଲେ ବିଶ୍ୱାସ କରି ହେବନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି  ଆନନ୍ଦାଳୟର ଅନ୍ତେବାସୀଙ୍କ ଜୀବନ କେତେ ସୁରକ୍ଷିତ ଏବଂ ଏମାନଙ୍କ ମାନବାଧିକାର କ୍ଷୁର୍ଣ୍ଣ ପାଇଁ କିଏ ଦାୟୀ ରହିବ , ନିଖୋଜ ବ୍ୟକ୍ତିର ସନ୍ଧାନ କିପରି ମିଳିବ ??? ଏଦିଗରେ ବିଭାଗୀୟ ଅଧିକାରୀ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.