ବିଶ୍ୱକପରେ ପୁଣି ବିପର୍ଯ୍ୟୟ, ଇଂଲଣ୍ଡକୁ ଆଣ୍ଠେଇଲା ଶ୍ରୀଲଙ୍କା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କ୍ରିକେଟ ବିଶ୍ୱକପରେ ପୁଣି ବିପର୍ଯ୍ୟୟ । ଆଫଗାନିସ୍ତାନ ଓ ନେଦରଲ୍ୟାଣ୍ଡସ ପରେ ଏବେ ବିପର୍ଯ୍ୟୟକାରୀ ତାଲିକାରେ ସାମିଲ ହୋଇଛି ଶ୍ରୀଲଙ୍କା । ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ଧୂଳି ଚଟାଇଲା ଲଙ୍କା ବାହିନୀ । ବୋଲିଂ, ଫିଲ୍ଡିଂ ଓ ବ୍ୟାଟିଂ ସବୁ ବିଭାଗରେ ମାତ୍ ଦେଇ ଇଂଲଣ୍ଡକୁ ଧରାଶାୟୀ କରିଛି ଶ୍ରୀଲଙ୍କା । ଏଥିସହ ଇଂଲଣ୍ଡ ବିପକ୍ଷରେ ୨୦୧୯ ବିଶ୍ୱକପର ସଫଳତାକୁ ଦୋହରାଇଛି ମେଣ୍ଡିସ ବାହିନୀ । ଚଳିତ ବିଶ୍ୱକପର ୨୫ତମ ମ୍ୟାଚରେ ଇଂଲଣ୍ଡକୁ ୮ ୱିକେଟରେ ହରାଇଛି ଶ୍ରୀଲଙ୍କା ।

ଗୁରୁବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୧୫୭ ରନର ଟାର୍ଗେଟକୁ ମାତ୍ର ୨୫ ଓଭର ୪ଟି ବଲରେ ହାସଲ କରି ନେଇଥିଲା ଶ୍ରୀଲଙ୍କା । ପାଙ୍କୁମ ନିସଙ୍କା ଓ ସଦୀରା ସମର ୱକ୍ରମଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ୨୪ ଓଭର ୨ଟି ବଲ ବାକି ଥାଇ ୨ ୱିକେଟରେ ୧୬୧ ରନ କରି ବିଜୟୀ ହୋଇଛି । ନିସଙ୍କା ୮୩ଟି ବଲରେ ୭ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୭୭ ରନ କରିଥିଲେ । ସେହିପରି ସମର ୱିକ୍ରମ ୫୪ଟି ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୫ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ଦୁଇଟି ଯାକ ୱିକେଟ ନେଇଥିଲେ । ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନେଇଥିଲେ ମଧ୍ୟ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଶ୍ରୀଲଙ୍କା ପେସରଙ୍କ ଘାତକ ବୋଲିଂରେ ଆଣ୍ଠେଇଲା ବଟଲର ବାହିନୀ । ବେନ ଷ୍ଟୋକସ ୪୩ ରନ, ଜନି ବେୟାରଷ୍ଟୋ ୩୦ ଓ ୱିଲି ୨୮ ରନ କରିଥିଲେ ।

ଫଳରେ ଇଂଲଣ୍ଡ ୩୩ ଓଭର ୨ଟି ବଲରେ ମାତ୍ର ୧୫୬ ରନରେ ଅଲଆଉଟ ହୋଇଥିଲା । ଇଂଲଣ୍ଡର ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୩ଟି, ଏଞ୍ଜେଲୋ ମାଥ୍ୟୁସ ଓ କସୁନ ରାଜିଥା ୨ଟି ଲେଖାଏଁ ଓ ମହୀଶ ତୀକ୍ଷଣା ଗୋଟିଏ ୱକେଟ ନେଇଥିଲେ । ଲାହିରୁ କୁମାରା ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅଭିଜ୍ଞ ଅଲରାଉଣ୍ଡର ମାଥ୍ୟୁସ ଦଳରେ ସାମିଲ ହେବା ଶ୍ରୀଲଙ୍କା ପାଇଁ ବରଦାନ ସଦୃଶ ହୋଇଥିଲା । ସେ ଦୁଇଟି ୱିକେଟ ସହ ଗୋଟିଏ ରନ ଆଉଟ ମଧ୍ୟ କରିଥିଲେ । ୨୦୧୯ ବିଶ୍ୱକପରେ ବି ମାଥ୍ୟୁସଙ୍କ ଚମକ୍ରାର ପାଇଁ ଇଂଲଣ୍ଡକୁ ହରାଇଥିଲା ଶ୍ରୀଲଙ୍କା । ଚଳିତ ବିଶ୍ୱକରେ ଏହି ବୃହତ ବିଜୟ ପରେ ଶ୍ରୀଲଙ୍କା ୫ଟି ମ୍ୟାଚରୁ ୨ ବିଜୟ ଓ ୩ ପରାଜୟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଏଥିସହ ଇଂଲଣ୍ଡ ନବମ ସ୍ଥାନରେ ରହିଛି । ୫ଟି ମ୍ୟାଚରୁ ୪ଟି ରେ ପରାଜୟ ବରଣ କରିବାରୁ ଇଂଲଣ୍ଡର ସେମି ଫାଇନାଲ ଆଶା କ୍ଷୀଣ ହୋଇଛି ।

Leave A Reply

Your email address will not be published.