ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ମିଶନ ଶକ୍ତି ବିଭାଗ ଓ ଶିଶୁ ବିକାଶ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପାଞ୍ଚପୀଢ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ବଳ ମଙ୍ଗଳ ଅଧିକାରୀ ଅନୁପମା ସିଙ୍କୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଡ. ଗୀତାଞ୍ଜଳି ବସ୍ତିଆ ଯୋଗଦେଇ ମିଶନ ଶକ୍ତି ଦ୍ୱାରା ସିଆରପି, କୃଷିମିତ୍ର, ବ୍ୟାଙ୍କ ମିତ୍ର ଓ ପ୍ରାଣୀମିତ୍ର ମାନଙ୍କୁ ସ୍କୁଟି ଯୋଜନାରେ ବିନା ସୁଧରେ ମିଳୁଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବାବଦକୁ ସମୀକ୍ଷା କରିଥିଲେ ।
ବୈଠକରେ ପାଞ୍ଚପାଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, କରଞ୍ଜିଆ ଶିଶୁ ବିକାଶ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଭାରତୀ ସାହୁଙ୍କ ସମେତ ଉପଖଣ୍ଡର ସମସ୍ତ ସିଡିପିଓ, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ପଣ୍ଡା, ଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ, ବ୍ଳକ ମିଶନ ଶକ୍ତି ମହାସଂଘ ସଭାନେତ୍ରୀ ଦିପାଲୀ ବେହେରା, ସମ୍ପାଦକ ଭୁବନେଶ୍ବରୀ ମହାନ୍ତ ଓ ବିପିଏମ – ଓଏଲଏମ୍ ଦୀପ୍ତି ପଣ୍ଡା ଯୋଗଦାନ କରି ରାଜ୍ୟ ସରକାରଙ୍କ ସ୍କୁଟର ଯୋଜନାର ଉପାଦେୟତା ଓ ଏହାକୁ ବିନିଯୋଗ କରି କିପରି ନିଜ ପରିବାରର ଆର୍ଥିକ ବିକାଶ କରି ପାରିବେ|
ସେ ବିଷୟରେ ଉପସ୍ଥିତ ମିଶନ ଶକ୍ତି ସଦସ୍ୟାଙ୍କୁ ଅବଗତ କରିଥିଲେ। ଅପରାହ୍ନରେ ଉପଦେଷ୍ଟା ଶ୍ରୀମତୀ ବସ୍ତିଆ କରଞ୍ଜିଆ ବ୍ଲକର ବଡ଼ଦେଉଳି, ଝାଟିଆଳି ଓ ନୂଆଗାଁ ଠାରେ ସ୍ବୟଂ ସହୟିକା ଗୋଷ୍ଠୀଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ ।