ଓଡିଆ ନ୍ୟୁଜ୍(ବ୍ୟୁରୋ): ଜଗତସିଂହପୁର ଢ଼ିଙ୍କିଆ ଜମି ବିବାଦ ମାମଲାର ତଦନ୍ତ ପାଇଁ ପାଇଁ ୫ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ ଘଟଣାସ୍ଥଳ ଗସ୍ତ କରି ସ୍ଥିତି ଯାଞ୍ଚ କରିବେ। ତେବେ ଏହି ତିନୋଟି ମାମଲାରେ ତିନି ଜଣ ଆଇନଜୀବୀଙ୍କ ସହ ଦୁଇଜଣ ସରକାରୀ ଆଇନଜୀବୀ କମିଟିରେ ଶାମିଲ ହୋଇଛନ୍ତି। ଆସନ୍ତା ୧୯ ତାରିଖରେ ଏହି ଟିମ୍ ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରିବେ। ତେବେ ଆସନ୍ତା ୨୩ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଆବେଦନକାରୀଙ୍କ ଆଇନଜୀବୀ କହିଛନ୍ତି।
କହିରଖୁଛୁ କି ପାରାଦୀପରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଉତ୍ତେଜନା ହୋଇଥିଲା। ପାନବରଜ ଭଙ୍ଗା ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ ହୋଇଥିଲେ। ଗ୍ରାମବାସୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ତରଫରୁ ଲାଠିମାଡ଼ ହୋଇଥିଲା। ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ପାନବରଜ ଭଙ୍ଗା ଯାଉଥିବା ଖବର ମିଳିବା ପରେ ଶତାଧିକ ଲୋକ ପାନବରଜ ଆଡ଼କୁ ମୁହାଁଇଥିଲେ। ତେବେ ଗାଁ ମୁଣ୍ଡରେ ପୋଲିସ ସେମାନଙ୍କୁ ଅଟକାଇଥିଲା।
ଏହାକୁ ନେଇ ପୋଲିସକୁ ତୀବ୍ର ବିରୋଧ କରିଥିଲେ ଗ୍ରାମବାସୀ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଅସମ୍ଭାଳ ହେବା ପରେ ପୋଲିସ ଗ୍ରାମବାସୀଙ୍କୁ ଗୋଡାଇ ଗୋଡ଼ାଇ ଲାଠିଚାର୍ଜ କରିଥିଲା। ମହିଳା ମଧ୍ୟ ଏଥିରୁ ବାଦ ପଡ଼ିନଥିଲେ। ଏପରିକି ଘରେ ପଶି ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଲାଠିମାଡ଼ରେ ଅନେକ ଗ୍ରାମବାସୀ ଆହତ ହୋଇଥିଲେ।