ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପିଲାଙ୍କ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ରୂପାନ୍ତରର ଯୁଗ ପିଲାମାନଙ୍କ ସ୍କୁଲରୁ ହିଁ ଆରମ୍ଭ ହୋଇଛି।
ପିଲାମାନେ ଏବେ ଡିଜିଟାଲ୍ ଟେକ୍ନୋଲୋଜି ଜରିଆରେ ପାଠ ପଢୁଛନ୍ତି। ସ୍କୁଲର ପରିବେଶ ମଧ୍ୟ ବେଶ୍ ସୁନ୍ଦର ହୋଇଯାଇଛି। ସୁନ୍ଦର ଖେଳ ପଡିଆ ମଧ୍ୟ ହୋଇଛି। ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୋର ପୁରା ବିଶ୍ବାସ, ତୁମର ଭବିଷ୍ୟତ ଖୁବ ଉଜ୍ଜଳ ହେବ। ମୋର ଆଶୀର୍ବାଦ ମଧ୍ୟ ତୁମ ସାଥିରେ ଅଛି ଓ ରହିବ।” କାର୍ଯ୍ୟକ୍ରମରେ ଉପସ୍ଥିତ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ପିଲାମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ 5T ସ୍କୁଲ ରୂପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ତୁମମାନଙ୍କ ପାଇଁ ଯେଉଁ ଚିନ୍ତାଧାରା ଅଛି ତାକୁ ସଫଳ କରିବା ପାଇଁ ତୁମେମାନେ ପ୍ରତିବଦ୍ଧ ହୁଅ ବୋଲି ସେ କହିଥିଲେ।