ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଉ ଦିନ କେଇଟା ପରେ ଆରମ୍ଭ ହେବ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ଆଉ ସେହି ବାଲିଯାତ୍ରା ପାଇଁ ଏବେଠୁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ ଏବଂ ମନୋରମ କରିବା ପାଇଁ ଚାଲିଛି ଭଳିକି ଭଳି ସାଜସଜ୍ଜା । କେଉଁଠି ଛୋଟ ପିଲାମାନଙ୍କ ପାଇଁ ଆକର୍ଷଣୀୟ ଦୋଳି ସଜାଯାଉଛି ତ ଆଉ କେଉଁଠି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାଲିଛି ଟନେଲ ଆକ୍ୱାରିୟମର ପ୍ରସ୍ତୁତି । ଏହାରି ଭିତରେ ଚଳିତବର୍ଷ ବାଲିଯାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି ଆଦର୍ଶ ଗ୍ରାମ ।
ଏଥର ବାଲିଯାତ୍ରାରେ ଏକ ଆଦର୍ଶ ଗ୍ରାମ ପ୍ରଦର୍ଶିତ ହେବାକୁ ଯାଉଛି । ଯେଉଁଥିରେ ରହିବ ଏକ ମାଛ ପୋଖରୀ । ଯେଉଁଥିପାଇଁ ଏବେଠାରୁ ବାଲିଯାତ୍ରା ପଡିଆରେ ପୋଖରୀ ଖୋଳିବା ଆରମ୍ଭ ହୋଇଯାଇଛି । ଆଉ ସେହି ପୋଖରୀରେ ଛଡାଯିବ ସତସତିକା ମାଛ । ଆଉ ସେହି ପୋଖରୀକୁ ଲାଗି ରହିବ ଏକାଧିକ ମାଛ ଦୋକାନ । ଆଉ ପୋଖରୀରୁ ମାଛ ଧରି ସେହି ଦୋକାନ ଗୁଡିକରେ ବିକ୍ରି କରାଯିବ । ବାଲିଯାତ୍ରାରେ ସେସବୁ ଦୋକାନ ବୁଲି ମାଛ ତଥା ମାଛ ଭଜାର ମଜା ନେବେ ଦର୍ଶକ । କେବଳ ସେତିକି ନୁହେଁ, ସେହି ଆଦର୍ଶ ଗ୍ରାମରେ ପଂଚାୟତ ବ୍ୟବସ୍ଥାର ମଧ୍ୟ ପ୍ରଦର୍ଶନ କରାଯିବ । ଏହାସହ ଗ୍ରାମରେ କିଭଳି ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ ହୋଇ ପାରିଛନ୍ତି ତାହା ଦର୍ଶକମାନେ ଦେଖିବେ । ଏହାସହ ଆଦର୍ଶ ଗ୍ରାମରେ ଗୋପାଳନ, କୁକୁଡା ଚାଷ, ଛେଳି ଆଦି ଅନ୍ୟ ଗୃହପାଳିତ ପଶୁଙ୍କର ସୁରକ୍ଷା ତଥା ଯତ୍ନ ନେବା ମଧ୍ୟ ଦେଖିବାକୁ ମିଳିବ ।
ଆଉ ଏସବୁ କିଛି ଦେଖିବାକୁ ମିଳିବ ବାଲିଯାତ୍ରା ପଡିଆର କଟକ ଇନ କଟକରେ । ଏହି ଆଦର୍ଶ ଗ୍ରାମଟି ୯ହଜାର ବର୍ଗଫୁଟ ପରିସରରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ଏହି ଆଦର୍ଶ ଗ୍ରାମରେ ଦର୍ଶକମାନେ ଏକ ବାସ୍ତବିକ ଗାଁରେ ବୁଲିବାର ଅନୁଭବ କରିପାରିବେ । କେବଳ ମାଛ ପୋଖରୀ ନୁହେଁ, ଏହି ଆଦର୍ଶ ଗ୍ରାମରେ ସେମାନେ ବିଭିନ୍ନ ଆକୃତିର ଚାଳ ଛପର ଘର ଏବଂ କୁଡିଆ ମଧ୍ୟ ଦେଖିବାକୁ ପାଇବେ । ଆଉ ଏହି ଆଦର୍ଶ ଗ୍ରାମକୁ ତିଆରି କରିବା ପାଇଁ ପ୍ରାୟ ୬୦ଜଣ କାରିଗର ଅନବରତ କାମରେ ଲାଗିଛନ୍ତି । ଯେଉଁଠି ଦର୍ଶକମାନେ ଗାଁ ଏବଂ ପ୍ରାକୃତିକ ପରିବେଶର ମଜା ନେଇପାରିବେ । ଏହାସହ ଚଳିତବର୍ଷ ବାଲିଯାତ୍ରାକୁ ଆସୁଥିବା ୧୦୦ ଫୁଟର ଦୋଳିର ମଧ୍ୟ ମଜା ନେଇପାରିବେ ଦର୍ଶକ । ଏହାସହ ଟନେଲ ଆକ୍ୱାରିୟମ, ମତ୍ସ୍ୟକନ୍ୟା ଏବଂ ଡିଜିଟାଲ ହରିଣ ମଧ୍ୟ ଚଳିତ ବାଲିଯାତ୍ରାରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯାଉଛି ।