ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟର ପ୍ରଥମ ମହିଳା ଜଜ୍ ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିୱିଙ୍କର ଗୁରୁବାର କେରଳରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଫାତିମା ବିୱି ତାଙ୍କର ଦୀର୍ଘ କ୍ୟାରିୟରରେ ଦେଶରେ ମହିଳାଙ୍କ ନିମନ୍ତେ ଆଦର୍ଶ ପାଲଟିଥିଲେ। ସେ ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଭବେ ମଧ୍ୟ ରାଜନୀତିରେ ଛାପ ଛାଡିଛନ୍ତି।
ସୁପ୍ରିମକୋର୍ଟ ଜଜ୍ ଭାବେ ଅବସର ନେବା ପରେ ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ତାମିଲନାଡୁ ରାଜ୍ୟପାଳ ହୋଇପାରିଥିଲେ। ଫାତିବା ବିବି କେବଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ନ ଥିଲେ, ଉଚ୍ଚ ନ୍ୟାୟପାଳିକାରେ ପ୍ରଥମ ମହିଳା ମୁସଲମାନ ତଥା ସମଗ୍ର ଏସିଆ ଦେଶରେ ପ୍ରଥମ ମହିଳା ଥିଲେ ଯିଏ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ଆସୀନ ଥିଲେ । ଫାତିମାଙ୍କ ଜନ୍ମ ୧୯୨୭ ଏପ୍ରିଲ ୩୦ ତାରିଖରେ କେରଳରେ ହୋଇଥିଲା । ୬ଭଉଣୀ ଏବଂ ଦୁଇ ଭାଇଙ୍କ ମଧ୍ୟରେ ଫାତିମା ସବୁଠାରୁ ବଡ ଥିଲେ । ପଠାନମଥିଟ୍ଟାରେ ୧୯୪୩ରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ । ତ୍ରିବେନ୍ଦ୍ରମରେ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ ।
ସେଠାରେ ୬ ବର୍ଷ ମଧ୍ୟରେ ବିଏସସି, ୟୁନିଭର୍ସିଟି କଲେଜ, ତିରୁବନନ୍ତପୁରମର ସରକାର ଲ କଲେଜରେ ଆଇନ ପାଠ ପଢିଥିଲେ । ୧୯୮୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ୧୯୮୩ରେ କେରଳ ହାଇକୋର୍ଟରେ ଜଜ ପଦବୀରେ ନିଯୁ୍କ୍ତି ପାଇଥିଲେ । ସେଠାରେ ୬ ବର୍ଷ ସେବା ଦେବା ପରେ ଅବସର ନେଇଥିଲେ । ଏହାର ୬ ମାସ ପରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୧୯୯୩ରେ ରାଷ୍ଟ୍ରିୟ ମାନବାଧିକାର ଆୟୋଗର ସଦସ୍ୟ ତାଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ସେ ୧୯୯୭ରୁ ୨୦୦୧ ତାମିଲନାଡୁ ରାଜ୍ୟପାଦ ପଦବୀରେ ଆସୀନ ଥିଲେ ।