ବଡ଼ ଓଷାର ମହତ୍ୱ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ହେଉଛି ବଡ ଓଷା। ବଡ ଓଷାରେ ଗଜପିଠା ଲାଗିହୁଏ। ଆପଣ ଜାଣିଛନ୍ତି କି ବଡ ଓଷାରେ ଗଜପିଠା କାହିଁକି ଲାଗି ହୁଏ, ଆଉ ଏହି ଗଜପିଠା କଣ। ବଡ ଓଷା। ଓଡିଆମାନଙ୍କର ଆଉ ଏକ ବଡ଼ ଓଷା। କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀରେ ବଡ ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଦିନ ବ୍ରତଧାରୀମାନେ ଉପବାସ ରହିଥାନ୍ତି। ଏହି ଓଷା ପାଳନ ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ ବୋଲି କୁହାଯାଏ । ଗଜ ପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଅଥାରବସା ଗଜ ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି । ବଡ ଓଷାର ମହିମା ପୁରାଣରେ ବର୍ଣ୍ଣିତ ।

ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି । ପଦ୍ମପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ ।

ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ ।

Leave A Reply

Your email address will not be published.