ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷ ତମାମ ହାତୀଙ୍କ ଯିବା ଆସିବା କରୁଥିବାବେଳେ ହାତୀ ମଣିଷ ଭିତରେ ସଂଘର୍ଷ ଜାରିରହିଛି । ଏହି ସଂଘର୍ଷ ଭିତରେ କେତେ ବେଳେ ହାତୀ ହାରି ଯାଉଛି ତ କେତେବେଳେ ମଣିଷ। ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟର ଅନୁସନ୍ଧାନ ହାତୀ ମାନେ ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି |
ହାତୀ ଉପଦ୍ରବ ରୋକିବାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାର ସହଯୋଗରେ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଆଜି ଗଜସାଥି ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ ଗଜସାଥି ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ I କର୍ମଶାଳାରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ଏସିଏଫ ମଦନ ମୋହନ ମହାନ୍ତ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ, ପୂର୍ବତନ ଶିକ୍ଷକ ପୁରେନ୍ଦ୍ର ହାଁସଦା, ଯୋଗ ଦେଇ ଗଜସାଥି ମାନଙ୍କ ପରିଧି ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦାତା ଭାବେ ମାଷ୍ଟର ଟ୍ରେନର ସୁବ୍ରତ କୁମାର ବିଶ୍ୱାଳ ଓ ବନବିଭାଗ କର୍ମଚାରୀଙ୍କୁ ହାତୀଙ୍କ ଅଭ୍ୟାସ ଓ ଜଙ୍ଗଲରୁ ଜନବସତି ଆଡ କୁ ଆସିଯାଉଥିବା ସମୟରେ କି ଭଳି ସଚେତନ କରିବେ ସେ ନେଇ ତାଲିମ ଦେଇଥିଲେ ।
ସେହିପରି ଶିବିରରେ ହାତୀଙ୍କ ଚଲାପଥରେ ସେମାନେ ଯେପରି କୌଣସି ବାଧା ବିନା ଚଳାଚଳ କରିପାରିବେ ଏବଂ ସୁରକ୍ଷା ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରିବା ସହ ସଚେତନ କରାଇଥିଲେ I ଗଜସାଥି ମାନଙ୍କ କାର୍ଯ୍ୟ ପରଧି ଓ କିପରି ହାତୀ ମାନଙ୍କୁ ସୁରକ୍ଷା ଦିଆଯିବା ସହ ହାତୀପଲଙ୍କ ଦ୍ବାରା କ୍ଷୟକ୍ଷତିର ପରିମାଣ କମ୍ କରାଯାଇ ପାରିବ ସେ ବିଷୟରେ ମଧ୍ୟ ଅବଗତ କରିଥିଲେ। ହାତୀମାନଙ୍କ ଗତିବିଧି ଚାଲିଚଳଣ, ପରିବେଶ, ପରିସ୍ଥିତି, ହାବଭାବ, ହାତୀ ମଣିଷ ଲଢେଇ ଆଦି କାରଣ ଲକ୍ଷଣରୁ କିପରି ହାତୀଙ୍କ ଭାବନା ଜାଣି ହେବ ଏବଂ ସୁରକ୍ଷା ଦିଆଯାଇପାରିବ ସେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବନାଞ୍ଚଳର ସମସ୍ତ କର୍ମଚାରୀ, ଓଡ଼ିଶା ବନ୍ୟ ଉନ୍ନୟନ ପ୍ରକଳ୍ପର କର୍ମଚାରୀ ଓ ବନାଞ୍ଚଳର ପ୍ରତ୍ୟେକ ଗ୍ରାମରୁ ୫ ଜଣ ଗାଜ ସାଥୀ ଶିବିରରେ ଉପସ୍ଥିତ ଥିଲେ |