ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି କାର୍ତିକ ପୂର୍ଣ୍ଣିମା । ପବିତ୍ର କାର୍ତିକ ମାସର ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ବା ତ୍ରିପୁରାରୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ଏକ ପବିତ୍ର ଦିନ ବୋଲି ମନାଯାଏ । ଆଜି ଭଳି ପବିତ୍ର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶ ବା ରାଜାଧିରାଜ ବେଶ ଧାରଣ କରିଛନ୍ତି । ଶ୍ରୀଜୀଉଙ୍କର ଏହି ସୁନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି ।
ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି କାର୍ତିକ ମାସର ଶେଷ ଦିନରେ ପୁରୀର ମହୋଦଧି ତଥା ଅନ୍ୟ ତୀର୍ଥ ପୁଷ୍କରିଣୀମାନଙ୍କରେ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା । କାର୍ତିକ ପୂର୍ଣ୍ଣିମାକୁ ତ୍ରିିପୁରାରୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । କାରଣ ଏହି ଦିନ ମହାଦେବ ତ୍ରିପୁରାସୁର ନାମକ ଭୟାନକ ଅସୁରର ବଦ୍ଧ କରିଥିଲେ । ତେଣୁ ବିଶ୍ୱାସ ରହିଛି ଯେ, ତ୍ରିପୁରାରୀ ବା କାର୍ତିକ ପୂର୍ଣ୍ଣିମା ଦିନ ମହାଦେବଙ୍କ ଦର୍ଶନ କରିବା ଦ୍ୱାରା ବ୍ୟକ୍ତି ସାତ ଜନ୍ମ ପର୍ଯ୍ୟନ୍ତ ଜ୍ଞାନୀ ଏବଂ ଧନବାନ ହୋଇଥାଏ ।
ଏହାସହ ଏହି ଦିନ ଭଗବାନ ବିଷ୍ଣୁ ପ୍ରଳୟ କାଳରେ ଉଭୟ ବେଦ ଏବଂ ସୃଷ୍ଟିର ରକ୍ଷା ପାଇଁ ମତ୍ସ୍ୟ ଅବତାର ଧାରଣ କରିଥିଲେ । ତେଣୁ ପୌରାଣିକ ମତ ଅନୁସାରେ ଏହି ଦିନ ଗଙ୍ଗାସ୍ନାନ ଏବଂ ଦୀପଦାନ କରିବା ଦ୍ୱାରା ଉଭୟ ଶାରୀରିକ ଏବଂ ସାଂସାରିକ ପାପ ମଧ୍ୟ କ୍ଷୟ ହୋଇଥାଏ ।