ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଐତିହାସିକ ବାଲିଯାତ୍ରା । ପୂର୍ବଭାରତର ଅନ୍ୟତମ ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା କୁହାଯାଉଥିବା କଟକ ବାଲିଯାତ୍ରା ସୋମବାର ଠାରୁ ଆରମ୍ଭ ହେଉଛି । ବାରବାଟୀ କିଲା ପଡ଼ିଆ ଓ ମହାନଦୀ ପଠାକୁ ମିଶାଇ ପ୍ରାୟ ୪୩ ଏକର ଜାଗାରେ ଆୟୋଜିତ ଏହି ଯାତ୍ରା ଏଥର ୮ ଦିନ ଧରି ଚାଲିବ । ଓର୍‌ମାସ୍‌ର ଜାତୀୟ ପଲ୍ଲିଶ୍ରୀ ମେଳାର ୪୨୦ଟି ଷ୍ଟଲ୍‌କୁ ମିଶାଇ ମୋଟ୍‌ ୧ ହଜାର ୮୯୬ଟି ଷ୍ଟଲ୍‌ ପ୍ରସ୍ତୁତ ହେଉଛି ।

ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ। ଏଥିରେ ଗ୍ରାମୀଣ ଜୀବନ, ଜୀବିକା ଓ ପରମ୍ପରାକୁ ଖୁବ୍‌ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯାଉଛି। ‘କଟକ ଇନ୍‌ କଟକ’ ମଧ୍ୟରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହା ସହ ବାଲିଯାତ୍ରାରେ ଚଳିତବର୍ଷ ନୂଆ କରି ଟନେଲ୍‌ ଆକ୍ବାରିୟମ୍‌ ସ୍ଥାନ ପାଇଛି। କେରଳରୁ ଆସିଥିବା ଏହି ୫ ହଜାର୍‌ ବର୍ଗଫୁଟ୍‌ରୁ ଅଧିକ ଆକାରର ଆକ୍ବାରିୟମ୍‌ରେ ୫ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ରହିବ।

ଏହା ମଧ୍ୟରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବାର ମଜା ଅନୁଭବ କରିପାରିବେ। ଏହାସହ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ନିର୍ମାଣ କରାଯାଇଛି। ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ଜଳକ୍ରୀଡା, ଲେଜର୍ ସୋ, ସବୁଜ ବାଣ ଆଦି ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ନରହରି ସେଠୀ କହିଛନ୍ତି।ବାଲିଯାତ୍ରାର ପ୍ରତ୍ୟେକ ଦିନ ସକାଳେ ପଥ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ, ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଉଭୟ ଓଲିଉଡ୍‌ ଓ ବଲିଉଡ୍‌ର କଳାକାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସୁସ୍ମିତା ଦାସ, ପଙ୍କଜ ଜାଲ୍‌ଙ୍କ ଠାରୁ ଆରମ୍ଭ କରି ସଚିନ୍‌ ଜିଗର୍‌, ଅନୁ ମଲିକ, ଅନ୍ତରା ଚକ୍ରବର୍ତ୍ତୀ, ପପୁ ପମ୍‌ପମ୍‌, ତାରିକ ଅଜିଜ୍‌ଙ୍କ ବହୁ କଳାକାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ତୁଳସୀପୁରସ୍ଥିତ ହୋଟେଲ ପ୍ରମୋଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି। ଉକ୍ତ ସମ୍ମିଳନୀରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍‌, ଉପ-ଜିଲ୍ଲାପାଳ କମଲଜିତ ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଏଡିପିଆର୍‌ଓ ସ୍ବାଗତିକା ବେହେରା ଯୋଗ ଦେଇଥିଲେ।

Leave A Reply

Your email address will not be published.