ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚୀନରେ ଶ୍ବାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବା ପରେ କର୍ଣ୍ଣାଟକରେ ଆଲର୍ଟ । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଆଲର୍ଟ ମୋଡ୍ରେ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିବା ପରେ କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଚୀନ୍ରେ ପିଲାମାନଙ୍କ ଶ୍ବାସପ୍ରଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅନ୍ୟୁନ ୬ଟି ରାଜ୍ୟ ପ୍ରତି ଭାରତ ସରକାର ସତର୍କତା ଜାରି କରିବା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ସମୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି।
ତେଣୁ, ଋତୁକାଳୀନ ସର୍ଦ୍ଦି ପ୍ରତି ସତର୍କତା ଅବଲମ୍ବନ କରିବା ଲାଗି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କହିଛି। ଏଥିପାଇଁ କ’ଣ କରିବାକୁ ଓ ନ କରିବାକୁ ହେବ, ସେସବୁ ଉଲ୍ଲେଖ କରାଯାଇ ଗାଇଡ୍ଲାନ୍ ମଧ୍ୟ ଜାରି କରାଯାଇଛି। ସେସବୁ ମଧ୍ୟରେ ରହିଛି, କାଶିବା ଅଥବା ଛିଙ୍କିବା ବେଳେ ମୁହଁ ଘୋଡ଼ାଇ ରଖିବା, ବାରମ୍ବାର ହାତ ଧୋଇବା, ମୁହଁରେ ହାତ ନ ମାରିବା, ଜନାକୀର୍ଣ୍ଣସ୍ଥାନରେ ମାସ୍କ୍ ବ୍ୟବହାର କରିବା।
ପରିସ୍ଥିତି ଉଦ୍ବେଗଜନକ ନ ଥିଲେ ବି ଡାକ୍ତରୀ କର୍ମଚାରୀମାନେ ଏହି ସଂକ୍ରାମକ ରୋଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ କହିଛି। ତେଣୁ, ପେଡିଆଟ୍ରିକ୍ (ଶିଶୁ ରୋଗ ବିଭାଗ) ଓ ମେଡିସିନ୍ ବିଭାଗରେ ଯଥେଷ୍ଟ ବ୍ୟବସ୍ଥା କରାଯିବା ଉଚିତ।ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ ଆଡଭାଇଜରୀ ଜାରି କରାଯାଇଥିଲା । ଆଡଭାଇଜରୀରେ କୁହାଯାଇଥିଲା ଯେ, ଭାରତରେ ବର୍ତ୍ତମାନ ସ୍ଥିତି ଚିନ୍ତାଜନକ ନାହିଁ । ଏହି ଘଟଣା ଉପରେ ଦୃଷ୍ଟି ରଖାଯାଇଛି ।