ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଅଧା ରହିଗଲା ତାରିଣୀ ଦର୍ଶନ | କେନ୍ଦୁଝର ଜିଲ୍ଲା ବାଲିଯୋଡି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା | ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବା ବେଳେ ଘଟିଥଲା ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା NH ୨୦ ବାଲିଯୋଡ଼ି ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି।
ସୂଚନା ଅନୁସାରେ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ଖାଇଥିଲା। ଭ୍ୟାନର ବେଗ ଅଧିକ ଥିବାରୁ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଭ୍ୟାନରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ଲାଗି ପ୍ରଥମେ ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଭୋର ସମୟରେ କୁହୁଡ଼ି ଥିବା ଯୋଗୁ ଡ୍ରାଇଭର କମ୍ ଦୃଶ୍ୟମାନତା ହେତୁ ରାସ୍ତାକଡ଼ରେ ଥିବା ଟ୍ରକଟିକୁ ଦେଖିପାରିନାହାନ୍ତି କିଂବା ଢ଼ୁଲାଇ ପଡ଼ିଥିବା ହେତୁ ପୂରା ବେଗରେ ଥିବା ବେଳେ ଟ୍ରକ ସହ ପିଟି ଭ୍ୟାନ୍ ହୋଇଛି ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣାରେ ଭ୍ୟାନର ସାମନା ଅଂଶଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସମ୍ମୁଖ ଭାଗରେ ବସିଥିବା ଯାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।