ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଖସିଗଲା ଦିନର ତାପମାତ୍ରା । ଦୁଇ ଦିନରେ ତାପମାତ୍ରା କମିଲା ୫ ଡିଗ୍ରୀ । ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଦଶମିକ ୬ ଡିଗ୍ରୀ ରହିଥିଲ । ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୮ ଓ ସର୍ବନିମ୍ନ ତାପମାତ୍ରା ୨୧ ଦଶମିକ ୫ ଥିଲା ।
ହେଲେ ବାତ୍ୟା ପ୍ରଭାବରେ ରାଜଧାନୀର ତାପମାତ୍ରା ତଳମୁହାଁ ହୋଇଥିଲା । ଅଦିନିଆ ବର୍ଷାରେ ହଠାତ୍ ବଢ଼ିଗଢ଼ିଲା ଥଣ୍ଡା । କାଲୁଆ କରିଦେଲା ସାରା ଓଡ଼ିଶାର ଜନଜୀବନକୁ । ଦିନ ତାପମାତ୍ରା ସାଏଁ ସାଏଁ ଖସିଗଲା ସବୁଠି । ସକ୍ରିୟ ସୁଦୃଶଃ ଲଘୁଚାପର ପ୍ରଭାବରେ ରାଜ୍ୟରେ କୋହଲା ପାଗ ସହ କିଛି ଜିଲ୍ଲାରେ ବର୍ଷା ଜାରି ରହିଛି । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ସକାଳ ସାଢ଼େ ୮ଟା ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହାପରେ ମଧ୍ୟ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏଥିପାଇଁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । କୋରାପୁଟ ସମେତ ବିଭିନ୍ନ ଜିଲ୍ଲାରେ ଜମିରେ ପାଣି ଜମିଥିବାରୁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। କୋଟିଆ ଠାରେ ଏକ ଘର ଭାଙ୍ଗିଥିବା ମଧ୍ୟ ସୂଚନା ମିଳିଛି।