ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି କଙ୍ଗାରୁ କୋର୍ଟ ବସାଇ ଲୋକମାନେ ହାତକୁ ନେଲେ ଆଇନ। ହେଲେ ଅପରାଧ କିମ୍ବା ଅପରାଧୀକୁ ଜଗିବା କାହା ପକ୍ଷରେ ସମ୍ଭବ ନୁହେଁ। ଏଥିପାଇଁ ସମସ୍ତଙ୍କୁ ସତର୍କ ଏବଂ ସଚେତନ ରହିବାର ଆବଶ୍ୟକତା ରହିଛି। ବାସ୍ତବରେ ମୁଷ୍ଟିମେୟ ପୋଲିସ ଏକ ଅଞ୍ଚଳକୁ ଜଗିବା ନିଶ୍ଚିତ ଅସମ୍ଭବ। ତେବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଆଉ ସମର୍ଥନ ଅନେକାଂଶରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସକୁ ସହାୟକ ହୋଇପାରିବା ଏକପ୍ରକାର ନିଶ୍ଚିତ।
ତେବେ ମୟୂରଭଞ୍ଜ ଜିଲ୍ଲାରେ ଅପରାଧ ଦିନକୁଦିନ ବଢି ଚାଲିଥିବା ବେଳେ ପୁଣି ଆଜି ଜଣେ ଛୁଆ ଚୋରାକୁ ଧରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ। ପ୍ରାପ୍ତ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦରଥାନା ଅନ୍ତର୍ଗତ ଅସନବଣୀ ଠାରେ କୌଣସି ସୂତ୍ରରୁ ଖବରପାଇ ଗ୍ରାମବାସୀ ଛୁଆ ଚୋରକୁ କାବୁକରି ଗଛରେ ବାନ୍ଧି ଦେଇଥିଲେ।ତେବେ ଛୁଆଚୋର ଦେଉଳି ନିକଟସ୍ଥ ପୁସିଗାଁ ଅଂଚଳର ସ୍ୱର୍ଗତ ବଂଶୀଧର ବୈଠାଙ୍କ ପୁଅ ବିକାଶ ବୈଠା ବୋଲି ଉପସ୍ଥିତ ଲୋକଙ୍କ ମଧ୍ୟରେ ହେଉଥିବା ଆଲୋଚନାରୁ ଜଣାଯାଇଛି। ବିକାଶର ପୁର୍ବରୁ ବହୁ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଏବଂ ବିକାଶ ନାମରେ ବିଭିନ୍ନ ଥାନରେ କେସ ଥିବା ଜଣାପଡିଛି।
ତେବେ ଆଜି ବିକାଶ ସ୍ଥାନୀୟ ଏକ ୧୦ ବର୍ଷର ନାବାଳିକା ଝିଅକୁ ଚକଲେଟର ଲୋଭ ଦେଖାଇ ପାଖକୁ ଡାକି ଚକୋଲେଟ ଦେଇ ପରେ ସାଇକେଲରେ ବସାଇ ବୁଲାଇବା ବାହାନାରେ ନେଇଯାଇଥିଲା। ମାତ୍ର ଝିଅକୁ ନ ପାଇ ପରିବାର ଲୋକେ ସବୁଆଡେ ଖୋଜଖବର ନେବାପରେ ଆସନବଣୀ ଠାରେ ଛୁଆ ଚୋରକୁ ଦେଖିଥିଲେ ଲୋକେ। ସେଠାରେ ଅଟକାଇ ଲୋକେ ତାକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ।
ପରେ ଘଟଣା ସମ୍ପର୍କରେ ଖବରପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାଚୋର ଅଭିଯୋଗରେ ବନ୍ଧା ହୋଇଥିବା ବିକାଶକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି ପୋଲିସ। ବିକାଶ ଚତୁରତାର ସହ ଛୋଟ ଛୋଟ ଝିଅ ପିଲାଙ୍କୁ ଚକଲେଟ ଦେଇ ବୁଲେଇନେଇ ପରେ ତାଙ୍କସହ ଶାରୀରିକ ସମ୍ପର୍କ ରଖି ଶେଷରେ ଦଲାଲଙ୍କ ହାତରେ ବିକ୍ରି କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଲଗାଇ ଲୋକମାନେ ଦେଉଳି ଛକ ବଜାରରେ ଚର୍ଚ୍ଚା କରୁଥିବା ଲକ୍ଷ୍ୟ କରାଯାଇଛି। ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି।