ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ପ୍ରଥମ ଥର ପାଇଁ ଏକାଠି ହୋଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲେ ପ୍ରମୁଖ ଗଣମାଧ୍ୟମର ସମ୍ପାଦକ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଯାଜପୁର ବିଂଝାରପୁର ଅଂଚଳରେ ସାମ୍ବାଦିକ ମାନଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକ ମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି । ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି ବରିଷ୍ଠ ସାମ୍ବାଦିକମାନେ । ସେମାନେ ଦାବି କରିଛନ୍ତି ଯେ ସନ୍ଧ୍ୟା ସୁଦ୍ଧା ସମସ୍ତ ଆକ୍ରମଣ କାରୀଙ୍କୁ ଗିରଫ କରିବା ସହ କଡା ଦଫା ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନିର୍ବାଚନ ପରିଚଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲଗାଯାଉଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକାରୀଙ୍କ ଉପରେ ସେହିଭଳି ଦଫା ଲଗାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ଦାବି କରିଛନ୍ତି। ପୁରୀ ଜିଲ୍ଲା କଣାସରେ ହୋଇଥିବା ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ଜଣଙ୍କୁ ଗିରଫ କରଯାଇ ଥିବାରୁ ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପଦକମାନେ। ସେପଟେ ରାଜ୍ୟ ନିର୍ବାଚନ କମିଶନର ସମ୍ପୃକ୍ତ ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ଯାଜପୁରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ନିର୍ବାଚନୀ ହିଂସା ଘଟଣାରେ ସରକାରୀ ଦଳର ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ରହୁଥିବା ନେଇ ଆରୋପ ଲଗାଇଛନ୍ତି ଗୋଲକ । ଗୋଲକ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ବିଜେପି ସପକ୍ଷରେ ଯାଇଛି । ଏଥିରେ ବିଜୁ ଜନତା ଦଳ ଉତକ୍ଷିପ୍ତ ହୋଇପଡିଛି । ସରକାରୀ ପ୍ରାୟୋଜିତ ବୁଥ କ୍ୟାପଚରିଂ ହେଉଛି । ଯଦି ସାମ୍ବାଦିକଟିଏ ଏହାର ଖବର ସଂଗ୍ରହ କରୁଛି, ତାକୁ ଆକ୍ରମଣ କରାଯାଉଛି । ଯଦି ବିଜୁ ଜନତା ଦଳ ସପକ୍ଷରେ ଭୋଟ ଯାଇଥାନ୍ତା, ତାହାଲେ ଏପରି ଘଟଣା ହୋଇନଥାନ୍ତା । ଯଦି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଇଥାନ୍ତା ତାହାଲେ ଆଜି ଏ ଚିତ୍ର ଦେଖିବାକୁ ମିଲିନଥାନ୍ତା । ଏହା ସମ୍ପୂର୍ଣ୍ଣ ପୋଲିସର ନିଷ୍କ୍ରିୟତାକୁ ଦର୍ଶାଉଛି । ଯଦି ସରକାର ଏ ନେଇ କାର୍ଯ୍ୟାନୁଷ୍ଠାନ ନନିଆନ୍ତି, ତାହାଲେ ଏହା ବଡ଼ ଆନ୍ଦୋଳନର ରୂପ ନେବ ବୋଲି ଗୋଲକ ଚେତେଇ ଦେଇଛନ୍ତି ।
ଅନ୍ୟପଟେ ଯାଜପୁରରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ମୁଖପାତ୍ର। ସରକାରୀ ଦଳର ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ରହୁଥିବା ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଆରୋପ ଆଣିଛନ୍ତି। ପ୍ରଥମ ପର୍ଯ୍ୟାୟରୁ ଯଦି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ଥାନ୍ତା ତାହାଲେ ଆଜି ଏଭଳି ଚିତ୍ର ଦେଖିବାକୁ ମିଲିନଥାନ୍ତା। ଏହା ସମ୍ପୂର୍ଣ୍ଣ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଉଛି ବୋଲି ନିଶିକାନ୍ତ କହିଛନ୍ତି।