ଓଡ଼ିଶାରେ ଅନୁଭୂତ ହେଉନି ଶୀତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଡିସେମ୍ବର ମାସ ବି ଓଡ଼ିଶାରେ ଅନୁଭୂତ ହେଉନି ଶୀତ । ଏ ବେଳକୁ ଓଡ଼ିଶା ଥଣ୍ଡା ପାଗରେ ଥରହର ହେବ କଥା । କିନ୍ତୁ ମାର୍ଗଶୀର ମାସ ଅଧା ସୁଦ୍ଧା ମଧ୍ୟ ଶୀତର ଦେକାନାହିଁ । ଯଦିଓ ବାତ୍ୟା ପ୍ରଭାବରେ ରାଜ୍ୟରେ ଗତ 3-4 ଦିନ ଧରି କୋହଲା ପାଗ ଥିବାରୁ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିଲା । ମାତ୍ର ତାପମାତ୍ରାର ଅସ୍ବାଭାବିକ ଆଚରଣକୁ ନେଇ ସମସ୍ତେ ବିସ୍ମିତ। ବାତ୍ୟା ପ୍ରଭାବରେ ତିନି ଦିନ କୋହଲା ପାଗ ଥିବାରୁ ଟିକେ ଥଣ୍ଡା ଅନୁଭୂତ ହେଉଥିଲା। ଆଜି ଅପରାହ୍ଣରୁ ପାଗ ବଦଳିଛି ଏବଂ ଥଣ୍ଡା ଉଭାନ୍‌ ହେବା ଆରମ୍ଭ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାଦଲ ପୂରା ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଅର୍ଥାତ୍ ରାତିର ତାପମାତ୍ରାର ସ୍ବାଭାବିକ ସ୍ଥିତିକୁ ଫେରିପାରେ।

ଏପଟେ ଦିନର ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।ପାଣିପାଗ କେନ୍ଦ୍ର ତଥ୍ୟ କହୁଛି ଏବେ ସାରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ବର୍ତ୍ତମାନ ସମୟରେ ଫୁଲବାଣୀର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୯.୨ ଡିଗ୍ରି ରହିବା କଥା। ମାତ୍ର ତାହା ୧୭ ଡିଗ୍ରିରେ ରହିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୧୩.୬, ୧୧.୨ ଡିଗ୍ରି ରହିବା କଥା। ଏବେ ରହିଛି ୧୭ ଡିଗ୍ରି। ଭୁବନେଶ୍ବର ତାପମାତ୍ରା ୧୫.୯ ଡିଗ୍ରି ରହିବା ସ୍ଥାନରେ ୧୯.୫ ଡିଗ୍ରି, କଟକର ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରି ବଦଳରେ ୧୯ ଡିଗ୍ରି, ସମ୍ବଲପୁରର ୧୨.୨ ଡିଗ୍ରି ରହିବା ବଦଳରେ ୧୯.୨, ବଲାଙ୍ଗୀରରେ ୧୦.୯ ସ୍ଥାନରେ ୧୯ ଡିଗ୍ରି ରହିଛି। କୋରାପୁଟର ହିଲ୍‌ ଷ୍ଟେସନ୍‌ ବ୍ୟତୀତ ଆଉ କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଆଜି ୧୫ ଡିଗ୍ରି ତଳକୁ ନାହିଁ। ନବରଙ୍ଗପୁର, ଟିଟିଲାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି ପ୍ରଭୃତି ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ବହୁ ଅଧିକ ରହୁଛି। ବାରିପଦା, ବାଲେଶ୍ବର, ଚାନ୍ଦବାଲି, କେନ୍ଦୁଝର ପ୍ରଭୃତି ସ୍ଥାନରେ ୪ ଡିଗ୍ରି ଉପରେ ରହିଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ଏଥର ପୂର୍ବ ପାର୍ଶ୍ୱରୁ ଓଡିଶାକୁ ଲଗାତର ଭାବେ ବାତ୍ୟା ରହିଥିଲା । ଏଥିସହ ପଶ୍ଚିମ ବାୟୁ ଆସୁ ନଥିବାରୁ ଶୀତ ହେଉ ନଥିଲା । ଏବେ ପଶ୍ଚିମାବାୟୁ ପ୍ରବାହ ଆସୁଥିବାରୁ ଶୀତ ପଡିପାରେ । ତେବେ, ଚଳିତ ବର୍ଷ ଲଗାତର ଭାବେ ଶୀତ ହେବ ନାହିଁ । ଦୁଇରୁ ତିନି ଦିନ ଶୀତ ରହିବା ପରେ ପୁଣି ପାରଦ ଉପର ମୁହାଁ ହୋଇଯିବ । ପରେ ଏଭଳି ସ୍ଥିତିରେ ଜାନୁୟାରୀ ଶେଷ ନଚେତ୍ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।

Leave A Reply

Your email address will not be published.