ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପାରଦ ତଳମୁହାଁ ହୋଇଛି । ବିଳମ୍ବରେ ହେଉ ପଛେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଦାରିଙ୍ଗିବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସ୍ଥାନ । ଏହି ଦୁଇ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । କେନ୍ଦୁଝରରେ ରାତି ତାପମାତ୍ରା ୯.୪ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ରେକର୍ଡ ହୋଇଛି ।ସର୍ବନିମ୍ନ ତାପମାତ୍ରା ବି ୪-୫ ଦିନ ଯାଏ ବିଶେଷ ବଦଳିବା ସମ୍ଭାବନା ନାହିଁ ।
କେବଳ ରାୟଗଡ଼ା ଓ ପାରଳାଖେମୁଣ୍ଡି ସହ ଅଳ୍ପ କିଛି ଉପକୂଳବର୍ତ୍ତୀ ସ୍ଥାନକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ କିମ୍ବା ତାଠୁ କମ୍ ରହିବ । ହାଲୁକା ପବନ ସାଙ୍ଗକୁ ପାରଦ ଖସିବା ଦ୍ବାରା ଦେହ ହାତ କାଲୁଆ ହୋଇଯାଉଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଥଣ୍ଡାରେ ଥରୁଛନ୍ତି। କିଏ ନିଆଁ ପାଖରେ ବସୁଛନ୍ତି ତ ଆଉ କିଏ ରାତି ୮ଟା ପୂର୍ବରୁ ଘରେ ରହିବାକୁ ଧାଉଁଛନ୍ତି। ଦୁଇ ଦିନ ହେଲା ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଦ୍ବାରା ଏଭଳି ଚିତ୍ର ସାମ୍ନାକୁ ଆସୁଛି।
ସେହିଭଳି ୨୨ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୬, ସୁନ୍ଦରଗଡ଼ରେ ୧୧, ବାରିପଦାରେ ୧୨, ଝାରସୁଗୁଡ଼ାରେ ୧୨.୪, ଭବାନୀପାଟଣାରେ ୧୩, ସୋନପୁରରେ ୧୩.୩, ନବରଙ୍ଗପୁରରେ ୧୩.୫, ଢେଙ୍କାନାଳରେ ୧୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରରେ ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ଓ କେନ୍ଦୁଝରରେ ସ୍ୱାଭାବିକଠାରୁ ୨.୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଛି । କୋରାପୁଟରେ ସ୍ୱାଭାବିକଠାରୁ ୧.୯ ଡିଗ୍ରୀ, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧.୪ ଡିଗ୍ରୀ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଛି ।